ଜୟପୁର: ଜୟପୁର ବ୍ଲକ୍ ପାମ୍ପୁଣି ସେବାଶ୍ରମ ବିଦ୍ୟାଳୟର ୧୯ଜଣ ଅନ୍ତେବାସୀ ଝାଡ଼ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ୧୩ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କ ଚିକିତ୍ସା ଜାରି ରହିଛି। ଖବର ପାଇ ଡିଏଚ୍ଏଚ୍ରୁ ଗୋଟିଏ ଟିମ୍ ସେବାଶ୍ରମରେ ପହଞ୍ଚିଥିଲେ। ଅନ୍ତେବାସୀ ବ୍ୟବହାର କରୁଥିବା ନଳକୂଅ ପାଣିର ନମୁନା ସଂଗ୍ରହ କରିବା ସହ ସମସ୍ତ ଅନ୍ତେବାସୀଙ୍କ ସ୍ବାବ୍ ସଂଗ୍ରହ କରିଛନ୍ତି। ଗତକାଲି ମଧ୍ୟାହ୍ନଭୋଜନ ପରେ ପାମ୍ପୁଣି ସେବାଶ୍ରମର ୧୮ଜଣ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆଜି ପୁଣି ଜଣେ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ ବିଷୟରେ ଅବଗତ କରାଇଛନ୍ତି। ଚିକିତ୍ସା ପରେ ୧୩ଜଣ ସୁସ୍ଥ ହୋଇଥିବା ବେଳେ ଚିକିତ୍ସିତ ହେଉଥିବା ୬ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡିଏମ୍ଓ ଡା. ଆର୍ଏନ୍ ମିଶ୍ର କହିଛନ୍ତି। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସଙ୍କ ନେତୃତ୍ବରେ ୭ଜଣିଆ ଡାକ୍ତରୀ ଦଳ ସେବାଶ୍ରମରେ ପହଞ୍ଚି ଆକ୍ରାନ୍ତ ୧୩ଜଣଙ୍କ ସ୍ବାବ୍ ସଂଗ୍ରହ କରିଛନ୍ତି। ଏଥିସହ ଅନ୍ତେବାସୀ ବ୍ୟବହାର କରୁଥିବା ନଳକୂଅ ପାଣିର ନମୁନା ସଂଗ୍ରହ କରିଛନ୍ତି। ଚିକିତ୍ସିତ ୬ ଆକ୍ରାନ୍ତଙ୍କ ସ୍ବାବ୍ ସଂଗ୍ରହ କରାଯାଇଛି। ପ୍ରାୟ ବର୍ଷେ ହେଲା ବିଦ୍ୟାଳୟର ନଳକୂଅକୁ ବିଶୋଧନ କରାଯାଇନି। ଏହି ପାଣି ପିଇବା କାରଣରୁ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ବୋଲି ସିଡିଏମ୍ଓ ଡାକ୍ତର ଦାସ କହିଛନ୍ତି।