ମେକ୍ସିକୋରେ ୧୯ଜଣଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ମେକ୍ସିକୋରେ ୧୯ଜଣଙ୍କୁ ହତ୍ୟା। ରବିବାର ଦିନ ସେଣ୍ଟ୍ରାଲ ମେକ୍ସିକୋରେ ୧୯ଜଣଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ବିଷୟରେ ଷ୍ଟେଟ ଆଟର୍ଣ୍ଣି ଜେନେରାଲ ଅଫିସ ସୂଚନା ଦେଇଥିବା ବେଳେ ଏକା ସାଙ୍ଗରେ ୧୯ଜଣଙ୍କୁ ହତ୍ୟା କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମାଇକୋଚାନ୍ ରାଜ୍ୟରେ ଥିବା ଲାସ୍ ଟିନାଜାସ୍ ସହରରେ ଆୟୋଜିତ ହୋଇଥିବା ଏକ ଉତ୍ସବରେ ଏହି ଘଟଣା ଘଟିଛି। ଘଟଣା ଘଟିବା ପରେ ରାତି ପ୍ରାୟ ୧୦ଟା ୩୦‌ରେ ଏ ନେଇ ସୂଚନା ପାଇ ପୁଲିସ ତଦନ୍ତ ଲାଗି ପହଞ୍ଚିଥିଲା ବୋଲି ଜଣାପଡ଼ିଛି। ପହଞ୍ଚିବା ପରେ ୧୯ଜଣଙ୍କ ମୃତଦେହ ତଳେ ପଡ଼ିଥିବାର ଦେଖିବା ସହ ସେମାନଙ୍କ ଦେହରେ ଗୁଳି ବାଜିଥିବା ଦେଖାଯାଇଥିଲା। ୧୯ଜଣଙ୍କ ମଧ୍ୟରୁ ୧୬ଜଣ ପୁରୁଷ ଥିବା ବେଳେ ୩ଜଣ ମହିଳା ରହିଛନ୍ତି। ଏକାଧିକ ଲୋକ ଏହି ଆକ୍ରମଣରେ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନା ପଠାଯାଇଛି। ତେବେ କିଏ ଏବଂ କ’ଣ ପାଇଁ ଏଭଳି ନିର୍ମମ ଭାବେ ୧୯ଜଣଙ୍କୁ ହତ୍ୟା କଲା, ଏହାର କାରଣ ସାମ୍ନାକୁ ଆସିପାରିନାହିଁ।

ଡ୍ରଗ୍ କାରବାରରେ ଜଡିତ ମେକ୍ସିକୋର ଦୁଇଟି ରାଜ୍ୟ ମାଇକୋଚାନ୍ ଏବଂ ଗୁଆନାଜୁଏଟୋ ମଧ୍ୟରେ ଅନେକ ସମୟରେ ବିବାଦ ଲାଗି ରହିଥାଏ। ଏହି ଦୁଇଟି ରାଜ୍ୟ ମେକ୍ସିକୋର ହିଂସାତ୍ମକ ରାଜ୍ୟ ହୋଇଥିବା ବେଳେ ଏଭଳି ହତ୍ୟା ପଛର କାରଣ ଦୁଇ ରାଜ୍ୟ ମଧ୍ୟରେ ଥିବା ଶତ୍ରୁତା ହୋଇପାରେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର