ଗୋଟିଏ ପରିବାରରେ ୧୯ ଜଣ ଦୃଷ୍ଟିହୀନ: ଡାକ୍ତର କହୁଛନ୍ତି ଆନୁବଂଶିକ ତ୍ରୁଟି

ନୂଆଦିଲ୍ଲୀ : ଆସାମର ନାଗାଓଁ ଜିଲ୍ଲାର ରୁପାହିହାଟ ସହରରେ ଏଭଳି ଏକ ପରିବାର ଅଛନ୍ତି ଯେଉଁଠି ପରିବାରରେ ୧୯ ଜଣ ଦୃଷ୍ଟିହୀନ। ପରିବାରରେ ସବୁଠୁ ବୟସ୍କ ବ୍ୟକ୍ତି ହେଉଛନ୍ତି ଅବଦୁଲ ୱାହିଦ। ତାଙ୍କ ଚାରିପିଢ଼ିର ମୋଟ୍‌ ସଦସ୍ୟଙ୍କ ସଂଖ୍ୟା ୩୩ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୯ ଜଣ ଦୃଷ୍ଟିହୀନ। ୱାହିଦ ପରିବାର ଅତି ଗରିବ ଏବଂ ନିରକ୍ଷର। ସେମାନେ ଭିକ୍ଷା କରି ଜୀବିକା ନିର୍ବାହ କରନ୍ତି। ବର୍ଷ ବର୍ଷ ଧରି ସେମାନେ ଦୃଷ୍ଟିଶକ୍ତି ହୀନତାକୁ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ବୋଲି ଧରିନେଇଛନ୍ତି।

ଆସାମର ଲଖିମପୁର ମେଡିକାଲ କଲେଜର ଆସୋସିଏଟ ପ୍ରଫେସର ଡାକ୍ତର ଗାୟତ୍ରୀ ଗୋଗଇ ଏ ସମ୍ପର୍କ‌ରେ ଖବର ପାଇବାପରେ ଏକ ଅଧ୍ୟୟନ କରିଥିଲେ। ଡାକ୍ତର ଗୋଗଇ ଏବଂ ତାଙ୍କ ଟିମ୍‌ ଅଧ୍ୟୟନରୁ ଜାଣି ପାରିଲେ ଯେ ୱାହିଦଙ୍କ ପରିବାରରେ ସମସ୍ତେ ଏକ ଆନୁବଂଶିକ ତ୍ରୁଟିର ଶିକାର ହୋଇଛନ୍ତି। ‌କେବଳ ୱାହିଦ ପରିବାର ବଂଶାନୁଗତ ଦୃଷ୍ଟିଶକ୍ତି ହୀନତାର ଶିକାର ହୋଇନାହାନ୍ତି ବିଶ୍ବରେ ଅନ୍ୟ ୩ଟି ପରିବାରରେ ବି ସମାନ ସ୍ଥିତି। ତେବେ ୱାହିଦଙ୍କ ପରିବାରରେ ସର୍ବାଧିକ ୧୯ ଜଣ ଦୃଷ୍ଟିହୀନତାର ଶିକାର ହୋଇଛନ୍ତି। ଡାକ୍ତର ଗୋଗଇ ଏବଂ ୫ ମେଡିକାଲ ଟିମ୍‌ ୱାହିଦ ପରିବାରର ନମୁନା ନେଇ ଅଧ୍ୟୟନ ଆରମ୍ଭ କରିଥିଲେ। ନମୁନା ଅଧ୍ୟୟନ କରି ଜାଣିପାରିଲେ ଯେ ଜିଜେଏ୮ ଜିନ୍‌ର ଅତି ବିରଳ ରୂପାନ୍ତରଣ ଯୋଗୁଁ ପିଢ଼ି ପରେ ପିଢ଼ି ଧରି ୱାହିଦ ପରିବାରରେ ଅଧିକାଂଶ ସଦସ୍ୟ ଦୃଷ୍ଟିହୀନ ହୋଇ ଜନ୍ମ ହେଉଛନ୍ତି।

ଅବଦୁଲ ୱାହିଦ, ଖଇରୁଲ ଇସଲାମ ଏବଂ ସୋମାଲା ଖାତୁନ (ୱାହିଦ ପରିବାର ସଦସ୍ୟ) ଏହି ଆନୁବଂଶିକ ତ୍ରୁଟିର ଶିକାର ବୋଲି କୁହାଯାଉଛି। ତେବେ ଗର୍ଭଧାରଣ ସମୟରେ ଯଦି ଆଗୁଆ ଜେନେଟିକ ସ୍କ୍ରିନିଂ କରିହେବ ତେବେ ଦୃଷ୍ଟିହୀନ ଶିଶୁ ଜନ୍ମକୁ ରୋକି ହେବ। ପ୍ରତି ଗର୍ଭଧାରଣକୁ ଭଲଭାବେ ପରୀକ୍ଷା କରିବାକୁ ହେବ। ଯଦି ପରୀକ୍ଷାରୁ ତ୍ରୁଟି ଥିବା ଜିନ୍‌ ଜଣାପଡ଼େ ତେବେ ୧୨ ସପ୍ତାହ ମଧ୍ୟରେ ଗର୍ଭପାତ କରାଇଦେଲେ ଆଉ ଦୃଷ୍ଟିହୀନ ଶିଶୁ ଜନ୍ମ ହେବାର ଭୟ ରହିବନି। ୱାହିଦ ପରିବାରରେ ପ୍ରତି ମହିଳା ଗର୍ଭଧାରଣ କଲେ ସ୍କ୍ରିନିଂ କରାଇବାପାଇଁ ଡାକ୍ତର ଗୋଗଇ ପରାମର୍ଶ ଦେଇଛନ୍ତି। ଡାକ୍ତରଙ୍କ ଅଧ୍ୟୟନ ପରେ ୱାହିଦ ପରିବାରରେ ଗୋଟିଏ ସୁସ୍ଥ ଶିଶୁ ଜନ୍ମ ହୋଇଛି। ତେବେ ଚଳିତ ବର୍ଷ ପରିବାରରେ ଗୋଟିଏ ଶିଶୁ ଦୃଷ୍ଟିହୀନ ଭାବେ ଜନ୍ମ ହୋଇଛି। ୱାହିଦ ପରିବାରରେ ଜଣେ ମହିଳା ୬ ମାସ ଗର୍ଭବତୀ ହେବାପରେ ଜଣାପଡ଼ିଥିଲା ଯେ ତାଙ୍କ ଗର୍ଭରେ ଥିବା ଶିଶୁ ଦୃଷ୍ଟିହୀନ। ସେ ସମୟ‌ରେ ଆଉ ଗର୍ଭପାତ କରାଇବା ସମ୍ଭବ ନଥିଲା। ତେଣୁ ଦୃଷ୍ଟିହୀନ ଭାବେ ଶିଶୁଟି ଜନ୍ମ ହେଲା।

ସମ୍ବନ୍ଧିତ ଖବର