ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଗାଡ଼ିମାଳାର ୧୯ଟି ଗାଡ଼ିକୁ ଆଜି ଠେଲିବାକୁ ପଡ଼ିଛି। ରତଲମ ଜିଲ୍ଲାର ଏକ ପେଟ୍ରୋଲ ପମ୍ପ ନିକଟରେ ଏହି ଘଟଣା ଘଟିଛି। ରତଲମରେ ଆଜି ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିମାଳା ଇନ୍ଦୋରରୁ ଆସୁଥିଲା ଏବଂ ରତଲମରେ ସମସ୍ତ ଗାଡ଼ିରେ ତେଲ ପକାଯାଇଥିଲା। କିନ୍ତୁ ଏହାପରେ ଆଉ ଗାଡ଼ି ଆଗକୁ ଗଡ଼ିନଥିଲା।
ଡ୍ରାଇଭର ଏବଂ ପେଟ୍ରୋଲ ପମ୍ପ ଷ୍ଟାଫ୍ ଗାଡ଼ିଗୁଡ଼ିକୁ ଠେଲୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ଜଣେ ଡ୍ରାଇଭର କହିଛନ୍ତି, ଆମେ ଟାଙ୍କିରେ ଡିଜେଲ୍ ପକାଇ ଫୁଲ୍ କଲୁ। କିଛି ଗାଡ଼ି ତେଲ ପକାଇବାପରେ ଚାଲିଲା କିନ୍ତୁ ୧ କିମି ଯିବାପରେ ଅଟକିଗଲା। ଅନ୍ୟ କିଛି ଗାଡ଼ି ଆଦୌ ଆଗକୁ ଗଡ଼ିଲା ନାହିଁ। ଖାଦ୍ୟ ଓ ଗଣ ଯୋଗାଣ ବିଭାଗ ପେଟ୍ରୋଲ ପମ୍ପରୁ ତେଲର ନମୂନା ସଂଗ୍ରହ କରି ଯାଞ୍ଚ କରିବା ପରେ ଡିଜେଲ୍ରେ ପାଣି ମିଶିଥିବା ସ୍ପଷ୍ଟ ହୋଇଥିଲା। ପରେ ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଛି।