ବଙ୍କୁଡ଼ା : କିଛି ଦିନ ତଳେ ପଶ୍ଚିମବଙ୍ଗର ମିଦନାପୁରଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ସମୟରେ ଏକ ଅଘଟଣ ଘଟିଥିଲା । ମୋଦି ଭାଷଣ ଦେଉଥିବା ବେଳେ ହଠାତ୍ ଲଗାଯାଇଥିବା ଟେଣ୍ଟଟି ବସିଥିବା ଲୋକମାନଙ୍କ ଉପରେ ପଡ଼ିଯାଇଥିଲା । ଏଠାରେ ଅନେକ ଲୋକ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ସେମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାକୁ ନିଆଯାଇଥିଲା । ସଙ୍ଗେ ସଙ୍ଗେ ମୋଦି ଭାଷଣ ଛାଡ଼ି ଆହତ ଲୋକମାନଙ୍କୁ ଭେଟିବାକୁ ଯାଇଥିବା ବେଳେ ଜଣେ ଯୁବତୀ ତାଙ୍କୁ ଅଟୋଗ୍ରାଫ୍ ମାଗିଥିଲେ,ଯାହା ପରେ ଖବର କାଗଜର ଶୀର୍ଷକ ପାଲଟିଥିଲା । ଏହି ଖବର ପ୍ରସାର ହେବା ପରେ ଯୁବତୀ ଜଣଙ୍କ ଷ୍ଟାର ପାଲଟି ଯାଇଥିଲେ । ଏବେ ସେହି ଯୁବତୀଙ୍କ ପାଖକୁ ଅନେକ ବିବାହ ପ୍ରସ୍ତାବ ଆସୁଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2018/07/pm_narendra_modis_autograph_1532673223_725x725-300x146.jpg)
ମାତ୍ର ୧୯ବର୍ଷ ବୟସ ହୋଇଥିବା ବେଳେ ସେ ଏବେ ବଙ୍କୁଡ଼ା ଖ୍ରୀଷ୍ଟିଆନ କଲେଜରେ ପଢ଼ୁଥିବା ଜଣାପଡ଼ିଛି । ଯୁବତୀଙ୍କ ନାମ ରୀତା ମୁଦି ବୋଲି ଜଣା ପଡ଼ିଛି । ୧୦ଦିନ ହେବା ରୀତାଙ୍କ ଘରକୁ ବିବାହ ପ୍ରସ୍ତାବ ଆସୁଥିବା ବେଳେ ଏହା ତାଙ୍କୁ ବିଚଳିତ କରିଥିବା ସେ କହିଛନ୍ତି । ପୂର୍ବରୁ ରୀତାଙ୍କ ବିବାହ ପାଇଁ ଲୋକମାନେ ଯୌତୁକ ମାଗୁଥିବା ବେଳେ ଏବେ ବିନା ଯୌତୁକରେ ରାଜି ହେଉଥିବା କହିଛନ୍ତି ରୀତାଙ୍କ ମା’ । ଅନ୍ୟ ପକ୍ଷରେ ରୀତା ଏବେ ବିବାହ ନୁହେଁ ବରଂ ପଢ଼ିବାକୁ ଚାହାନ୍ତି ବୋଲି କହିଛନ୍ତି । ଏହା ସହ ଯେବେ ବି ବିବାହ କରିବି ମୋ ମାତା-ପିତାଙ୍କ ପସନ୍ଦରେ ହିଁ କରିବି ବୋଲି ରୀତା କହିଛନ୍ତି ।