ନୂଆଦିଲ୍ଲୀ: ଆମେରିକାର ୟୁନିଭରସିଟି ଅଫ୍ ଇଲିନୋଏସ-ଚିକାଗୋ ପରିସରର ଗାଡ଼ି ପାର୍କିଂରେ ନଭେମ୍ବର ୨୪ ତାରିଖରେ ଜଣେ ୧୯ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ରୁଥ୍ ଜର୍ଜ। ବିଶ୍ବବିଦ୍ୟାଳୟ ପରିସରରେ ପାର୍କ କରାଯାଇଥିବା ଏକ ଗାଡ଼ିରେ ଯୁବତୀ ଜଣକ ମୃତ ଅବସ୍ଥାରେ ପଡ଼ିଥିବା ବେଳେ ଉଦ୍ଧାର ହୋଇଛନ୍ତି।
ରୁଠ୍ ଜର୍ଜଙ୍କ ପରିବାର ଲୋକ ଶନିବାର ଦିନ ଏକ ନିଖୋଜ ରିପୋର୍ଟ ଲେଖାଇଥିଲେ। ଘର ଲୋକଙ୍କ ସହ ରୁଥ୍ ଜର୍ଜଙ୍କର ଶେଷ କଥା ଶୁକ୍ରବାର ସଂଧ୍ୟାରେ ହୋଇଥିଲା। ତଦନ୍ତକାରୀମାନେ ତାଙ୍କ ଫୋନ୍ ଟ୍ୟାପ୍ କରିବା ପରେ ତାହା ପରିସରର ପାର୍କିଂରେ ପଡ଼ିଥିବା ଜାଣିବାକୁ ପାଇଥିଲେ। ସେମାନେ ଖୋଜି ଖୋଜି ଯିବା ପରେ ଏକ ବ୍ୟକ୍ତିଗତ କାର୍ର ପଛ ସିଟ୍ରେ ରୁଥ୍ ଜର୍ଜଙ୍କ ମୃତଶରୀର ପଡ଼ିଥିବା ଜାଣିବାକୁ ପାଇଥିଲେ।
ରୁଥଙ୍କୁ ହତ୍ୟା କରାଯାଥିବା ସନ୍ଦେହ କରାଯାଉଛି। ତାଙ୍କର ଗଳାଚିପି ହୋଇଯିବାରୁ ମୃତ୍ୟୁ ଘଟିଥିବା ପ୍ରଥମିକ ଡାକ୍ତରୀ ପରୀକ୍ଷାରୁ ଜଣାଯାଇଛି। ପୁଲିସ ଜଣେ ସଂଦିଗ୍ଧଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ତେବେ ତାଙ୍କୁ ଉଦ୍ଧାର କରାଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ବୋଲି ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ରୁଥ୍ ଜର୍ଜଙ୍କ ପୂର୍ବଜ ହାଇଦ୍ରାବାଦ୍ର ବାସିନ୍ଦା।