କଶ୍ମୀର ଘାଟିରେ ପରିସ୍ଥିତି ସୁଧୁରିଛି, ୧୯୦ ଆତଙ୍କବାଦୀ ନିହତ ହୋଇଛନ୍ତି: ସନ୍ଥୁ

ଜମ୍ମୁ: ଭାରତୀୟ ସେନା ୨୦୧୭ ଜାନୁଆରିରୁ ଚଳିତ ନଭେମ୍ବର ୧୮ ପର୍ଯ୍ୟନ୍ତ ୧୯୦ ଜଣ ଆତଙ୍କବାଦୀଙ୍କୁ ନିହତ କରିଛି। ଏଥିରେ ୧୧୦ଜଣ ବିଦେଶୀ ଆତଙ୍କବାଦୀ ସାମିଲ ଅଛନ୍ତି ବୋଲି ରବିବାର ଆର୍ମିର ୧୫ କର୍ପ୍ସର ଜେନେରାଲ ଅଫିସର କମାଣ୍ଡିଙ୍ଗ(ଜିଓସି) ଲେଫ୍ଟନେଣ୍ଟ ବିଏସ୍‌ ସନ୍ଥୁ ଏହି ସୂଚନା ଦେଇଛନ୍ତି। ବାନ୍ଦିପୋରାର ହାଜିନ ଠାରେ ଶନିବାର ୬ଜଣ ଆତଙ୍କବାଦୀ ନିହତ ହେବା ଅବସରରେ ସେ କହିଛନ୍ତି, ଘାଟିରେ ଆତଙ୍କୀମାନଙ୍କୁ ନିହତ କରାଯିବା ପରେ ପରିସ୍ଥିତିରେ ପରବର୍ତ୍ତନ ଆସିଛି। ହାଜିନ ଏନକାଉଣ୍ଟରରେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିଉର ରହମାନ ଲଖଭିର ପୁତୁରା ଅବୈଦ ଓରଫ ଜଙ୍ଗି ମଧ୍ୟ ନିହତ ହୋଇଛି।

ବିଏସ୍‌ ସନ୍ଥୁ କହିଛନ୍ତି, ନିହତ ହୋଇଥିବା ୧୧୦ ବିଦେଶୀ ଆତଙ୍କବାଦୀ ମଧ୍ୟରେ ୬୬କୁ ଅନୁପ୍ରବେଶ ବେଳେ ନିୟନ୍ତ୍ରଣ ରେଖା ନିକଟରେ ନିହତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କଶ୍ମୀର ଘାଟିର ଆଭ୍ୟନ୍ତରୀଣ ଅଞ୍ଚଳରେ ଏବର୍ଷ ୧୨୫ରୁ ୧୩୦ ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ଏହି କାରଣରୁ ଅବସ୍ଥାରେ ପରିବର୍ତ୍ତନ ଆସିଛି।

ସନ୍ଥୁ କହିଛନ୍ତି, ହାଜିନରେ ସେପ୍ଟେମ୍ବର ମଧ୍ୟ ଭାଗରେ ତଲାସି ଅଭିଯାନ ଆରମ୍ଭ କରାଯାଇଛି। ଏହା ପରେ ଆମେ ମଝିରେ ମଝିରେ ତଲାସି ଅଭିଯାନ ଚଳାଇଛୁ। ଆମେ ଏଠାରେ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ମୁତୟନ କରିଛୁ। ବିଶେଷ ସୂଚନା ମିଳିବା ମାତ୍ରେ ସିଆରପିଏଫ୍‌, ଆର୍ମି ଓ ପୁଲିସ ପକ୍ଷରୁ ଏନ୍‌କାଉଣ୍ଟର କରାଯାଉଛି। ତଲାସି ଅଭିଯାନ ପାଇଁ ତଥ୍ୟ ଯୋଗାଉଥିବା ସଂସ୍ଥାକୁ ଆମେ ଧନ୍ୟବାଦ ଜଣାଉଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର