କରୋନା ଆତଙ୍କ ବିପଜ୍ଜନକ ସ୍ଥିତି: ଜାତିସଂଘ ମୁଖ୍ୟ

୧୯୦୦ ଛୁଇଁଲା ମୃତ୍ୟୁସଂଖ୍ୟା, ଉହାନ୍‌ ହସ୍ପିଟାଲ୍‌ ମୁଖ୍ୟଙ୍କ ମୃତ୍ୟୁ ସ୍ଥିତି ଯାଞ୍ଚ କଲେ ଡବ୍ଲୁଏଚ୍‌ଓ ଡାକ୍ତରୀ ଦଳ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଯୋଗୁଁ ଚୀନ୍‌ରେ ମୃତ୍ୟୁସଂଖ୍ୟା ୧୯୦୦ରେ ପହଞ୍ଚିଛି ଏବଂ ୭୩,୦୦୦ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଆଧାରରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗେଟର୍ସ କହିଛନ୍ତି କରୋନ ଭାଇରସ୍‌ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି। ଏଥିପାଇଁ ବିଶ୍ବବ୍ୟାପୀ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ଗେଟର୍ସ କହିଛନ୍ତି। ଚୀନ୍‌ରେ ସ୍ଥିତି ଅତି ବିପଜ୍ଜନକ ରହିଛି ବୋଲି ସେ ମତ ଦେଇଛନ୍ତି। ଭାଇରସ୍‌ ଯୋଗୁଁ ଉହାନ୍‌ରେ ୩୦୦୦ରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଉହାନ୍‌ର ଏକ ହସ୍ପିଟାଲ୍‌ ମୁଖ୍ୟଙ୍କର ମଧ୍ୟ ଭାଇରସ୍‌ ଯୋଗୁଁ ମୃତ୍ୟୁ ହୋଇଛି। ଆରମ୍ଭରୁ କରୋନା ଭାଇରସ୍‌ରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରିଥିବା ବରିଷ୍ଠ ଡାକ୍ତର ଲିଉ ଝିମିଙ୍ଗ୍‌ଙ୍କର ଭାଇରସ୍‌ରେ ମୃତ୍ୟୁ ହୋଇଛି। ବହୁ ଚେଷ୍ଟା ସତ୍ତ୍ବେ ଲିଉଙ୍କୁ ବଞ୍ଚାଇବାରେ କର୍ତ୍ତୃପକ୍ଷ ସକ୍ଷମ ହୋଇନାହାନ୍ତି। ଆଜି ପୂର୍ବାହ୍ନ ୧୦.୫୪ରେ ଲିଉଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଉହାନ୍‌ ମ୍ୟୁନିସପାଲ ସ୍ବାସ୍ଥ୍ୟ କମିସନ୍‌ ପକ୍ଷରୁ କୁହାଯାଇଛି। ଗତ ଗୁରୁବାର ଦିନ ମଧ୍ୟ ହୁୱେଇର ଏଜୋଉ ସିଟି ମେଡିସିନ୍‌ ହସ୍ପିଟାଲ୍‌ର ପୂର୍ବତନ ନିର୍ଦ୍ଦେଶକଙ୍କ ଭାଇରସ୍‌ ଯୋଗୁଁ ମୃତ୍ୟୁ ହୋଇଥିଲା।

କରୋନା ଭାଇରସ୍‌ ଯୋଗୁଁ ଆଜି ପୁଣି ଚୀନ୍‌ରେ ୯୮ ଜଣଙ୍କର ମୃତ୍ୟୁ ‌ହୋଇଛି ଏବଂ ଏଥିମଧ୍ୟରୁ ୯୩ଟି ମାମଲା ହୁୱେଇରୁ। ହୁୱେଇରୁ ସମୁଦାୟ ୪୧,୯୫୭ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ ୯,୧୧୭ ଜଣଙ୍କ ଅବସ୍ଥା ଅତି ଗୁରୁତର ଅଛନ୍ତି। ୧.୪୧ ଲକ୍ଷ ଲୋକ ସ୍ବତନ୍ତ୍ର ତଦାରଖ ବ୍ୟବସ୍ଥାରେ ଥିବା ଜଣାପଡ଼ିଛି। ତେବେ ସ୍ଥିତି ଦିନକୁ ଦିନ ଅଣାୟତ ହେଉଥିବାରୁ ଡବ୍ଲ୍ୟୁଏଚ୍‌ଓ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ଶୀର୍ଷ ଡାକ୍ତର ଏବଂ ବିଶେଷଜ୍ଞ ଦଳ ଆଜି ସ୍ଥିତି ଯାଞ୍ଚ କରିଛନ୍ତି। ୧୨ ଜଣ ସଦସ୍ୟ ବିଶିଷ୍ଟ ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞ ଦଳ ଏବେ ହୁୱେଇ ପ୍ରଦେଶର ବିଭିନ୍ନ ଅଂଚଳ ଗସ୍ତ କରି ସ୍ଥିତି ଯାଞ୍ଚ କରୁଛନ୍ତି ବୋଲି ଚୀନ୍‌ ସ୍ପଷ୍ଟ କରିଛି। ହୁୱେଇରେ ୯ଟି ଅସ୍ଥାୟୀ ଡାକ୍ତରଖାନା ଖୋଲାଯାଇଛି। ଫେବ୍ରୁଆରି ୧୪ ସୁଦ୍ଧା ୨୫,୬୩୩ ମେଡିକାଲ କର୍ମୀଙ୍କ ସହ ସମୁଦାୟ ୨୧୭ ମେଡିକାଲ ଟିମ୍‌ ହୁୱେଇରେ ପହଞ୍ଚିଛନ୍ତି। ହୁୱେଇରେ ଏବେ ହସ୍ପିଟାଲ୍‌ କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଯେଉଁମାନେ ସାମାନ୍ୟ ଅସୁସ୍ଥ ଅଛନ୍ତି ସେମାନଙ୍କର ବାଧ୍ୟତାମୂଳକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ହୁୱେଇର ୮ଟି ପ୍ରମୁଖ ସହରରେ ୧୦ଟି ଅସ୍ଥାୟୀ ହସ୍ପିଟାଲ୍‌ ଖୋଲାଯାଇଛି। ସମସ୍ତ ଗ୍ରାମ ଏବଂ ଜନବସତି ଅଞ୍ଚଳଗୁଡ଼ିକୁ ୨୪ ଘଣ୍ଟା ବନ୍ଦ କରି ରଖାଯାଇଛି। ମଙ୍ଗଳବାରଠାରୁ ଯେଉଁମାନେ ଔଷଧାଳୟରୁ କିମ୍ବା ଅନ୍‌ଲାଇନ୍‌ରେ କାଶ ଔଷଧ କିଣିବେ ସେମାନଙ୍କୁ ଆଇଡି କାର୍ଡ ବ୍ୟବହାର କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର