ହାଇଦ୍ରାବାଦ : ହାଇଦ୍ରାବାଦଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଏକ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସ ଆଗରେ ୧୯୧ ରନର ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ ।
ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୯୦ ରନ କରିଥିଲା । ଦଳ ପକ୍ଷରୁ ଟ୍ରାଭିସ ହେଡ୍ ଓ ଅଭିଷେକ ଶର୍ମା ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ ବି ଶର୍ମା ମାତ୍ର ୬ ରନ କରି ଆଉଟ ହୋଇଯାଇଥିଲେ । ଏହା ପରେ ଇଶାନ କିଷନ ମଧ୍ୟ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ତେବେ ଟ୍ରାଭିସ ହେଡ୍ ଓ ନୀତୀଶ ରେଡ୍ଡି ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ହେଡ୍ ସର୍ବାଧିକ ୪୭ ରନ କରିଥିବାବେଳେ ନୀତୀଶ ୩୨ ରନ, ହେନରିକ୍ କ୍ଲାସେନ ୨୬ ରନ ଓ ଅନିକେତ ବର୍ମା ୩୬ ରନ କରିଥିଲେ । ଅଧିନାୟକ ପ୍ୟାଟ୍ କମିନ୍ସ ୧୮ ରନ କରିଥିଲେ ।
ଲକ୍ଷ୍ନୌ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୪ଟି ଓ୍ବିକେଟ ନେଇଥିବାବେଳେ ଅଭେସ ଖାଁ, ଦିଗବେଶ ରାଠି, ରବି ବିଷ୍ଣୋଇ ଓ ପ୍ରିନ୍ସ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।