ଜମ୍ମୁ ଓ କଶ୍ମୀର :  ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୯୧ ଆତଙ୍କବାଦୀ ନିପାତ ହୋଇଛନ୍ତି, ୧୪୫ ସ୍ଥାନୀୟ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରେ ସୁରକ୍ଷା ବଳ ଦ୍ବାରା ନିୟମିତଭାବେ ଆତଙ୍କବାଦୀମାନଙ୍କୁ ନିପାତ କରାଯାଉଥିବା ସତ୍ତ୍ବେ ଘାଟିରୁ ଆତଙ୍କବାଦ ଶେଷ ହେବାର ନାଁ ଧରୁନାହିଁ । କାରଣ ଗତ କିଛି ବର୍ଷ ହେଲା ଅନେକ ସ୍ଥାନୀୟ ଯୁବକ ଆତଙ୍କବାଦୀ ସଂଗଠନରେ ମିଶିବାକୁ  ପସନ୍ଦ କରୁଛନ୍ତି । ଦିନକୁ ଦିନ ସେମାନଙ୍କ ସଂଖ୍ୟା ବଢିଚାଲିଥିବାରୁ ତାହା ସରକାର ଓ ସୁରକ୍ଷା ବାହିନୀ ପାଇଁ ଚିନ୍ତାର କାରଣ ହୋଇଛି ।

ଚଳିତ ବର୍ଷ ଜାନୁଆରିରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଜମ୍ମୁ ଓ କଶ୍ମୀରରେ ୧୯୧ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ବିଦେଶୀ ଆତଙ୍କବାଦୀ ଅଛନ୍ତି । ଏହି ସମୟ ମଧ୍ୟରେ ପ୍ରାୟ ୧୪୫ ଜଣ ସ୍ଥାନୀୟ ଯୁବକ ମୁଖ୍ୟଧାରା ଛାଡ଼ି ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ।

୨୦୧୮ରେ ୧୦୭ଟି ଏନକାଉଣ୍ଟରରେ ମୋଟ ୨୫୪ ଜଣ ଆତଙ୍କୀ ନିପାତ ହୋଇଥିଲେ । ସେହିବର୍ଷ ୨୧୦ ଜଣ ସ୍ଥାନୀୟ ଯୁବକ ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ । ତାହା ତୁଳନାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୮୬ଟି ଏନକାଉଣ୍ଟରରେ ୧୯୧ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୪୫ ଜଣ ସ୍ଥାନୀୟ ଯୁବକ ଆତଙ୍କବାଦୀ ହୋଇଥିବାବେଳେ ଆହୁରି ୫-୮ ଜଣ ଯୁବକ ନିଖୋଜ ଅଛନ୍ତି । ସେମାନେ ବି ଆତଙ୍କବାଦୀ ହୋଇଯାଇଥିବା ସଂଦେହ କରାଯାଉଛି । ତେବେ ଚଳିତ ବର୍ଷ ପ୍ରାୟ ୫୦ ଜଣ ଯୁବକ ଗିରଫ ହୋଇଛନ୍ତି ଅଥବା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ସମ୍ବନ୍ଧିତ ଖବର

Comments are closed.