ଅକ୍ସିଜେନ୍‌ ଅଭାବ ପାଇଁ ୫ ରାଜ୍ୟରେ ୧୯୫ ମୃତ

ସରକାରଙ୍କ ବିରୋଧରେ ମାମଲା ରୁଜୁ ହେଉ: ସଂଜୟ ରାଉତ

ନୂଆଦିଲ୍ଲୀ: ଅକ୍ସିଜେନ୍‌ ଅଭାବ ଯୋଗୁଁ ଦେଶରେ ୫ ରାଜ୍ୟରେ ଅତି କମ୍‌ରେ ୧୯୫ ରୋଗୀଙ୍କର ମୃତ୍ୟୁ ହୋଇଛି। ‘ଟାଇମ୍‌ସ ଅଫ୍‌ ଇଣ୍ଡିଆ’ର ଏକ ରିପୋର୍ଟ ମୁତାବକ ଦିଲ୍ଲୀ, ଗୋଆ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ହରିୟାଣାରେ ୧୯୫ ରୋଗୀଙ୍କର ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ହୋଇଛି । ମେ’ ୧ ତାରିଖରେ ବାତ୍ରା ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ସଙ୍କଟ ଯୋଗୁଁ ୧୨ ରୋଗୀଙ୍କ ମୃତ୍ୟୁ ହୋଇଥିଲା ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଡାକ୍ତର ଏସ୍‌ସିଏଲ୍‌ ଗୁପ୍ତା କହିଥିଲେ। ବାତ୍ରା ହସ୍ପିଟାଲ୍‌ରେ ‌ହୋଇଥିବା ମୃତ୍ୟୁ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଦୁଃଖ ପ୍ରକାଶ କରିଥିଲେ। କେଜ୍ରିୱାଲ୍‌ କହିଥିଲେ, ଲୋକମାନଙ୍କୁ ଅକ୍ସିଜେନ୍‌ ଅଭାବରୁ ଏମିତି ଭାବେ ମରୁଥିବା ଆମେ ଦେଖିପାରିବୁ ନାହିଁ।

ଅନ୍ୟପକ୍ଷେ ଗୋଆରେ ମେ’ ୧୧ରୁ ୧୫ ମଧ୍ୟରେ ୮୩ ରୋଗୀଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ହୋଇଛି। ମେ’ ୧୧‌ରେ ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରା‌ଣେ କହିଥିଲେ, ‘ ଗୋଆ ମେଡିକାଲ୍‌ କଲେଜ୍‌ରେ ଅକ୍ସିଜେନ୍‌ ଅଭାବ ଯୋଗୁଁ ରାତି ୨ରୁ ସକାଳ ୬ ମଧ୍ୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଅକ୍ସିଜେନ୍‌ ଆବଶ୍ୟକତା ପ୍ରାୟ ୧୨୦୦ ସିଲିଣ୍ଡର ଥିଲା ବେଳେ ମାତ୍ର ୪୦୦ ସିଲିଣ୍ଡର୍‌ ମିଳିଥିଲା ବୋଲି ସେ କହିଥିଲେ। ସେହିପରି କର୍ଣ୍ଣାଟକରେ ମେ’ ୨ ଏବଂ ୩ ମଧ୍ୟରେ ୨୪ ରୋଗୀଙ୍କ ଅକ୍ସିଜେନ୍‌ ସ୍ତର କମିଯିବାରୁ ମୃତ୍ୟୁ ହୋଇଥିଲା। କର୍ଣ୍ଣାଟକ ହାଇକୋର୍ଟ ଦ୍ବାରା ଗଠିତ ଏକ କମିଟି ଅନୁଯାୟୀ ରାଜ୍ୟରେ ୩୬ ଜଣଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ‌ହୋଇଛି। ଜିଲ୍ଲାରେ ଅକ୍ସିଜେନ୍‌ ଆଗୁଆ ମହଜୁଦ ନଥିବାରୁ ଏତେ ଅଧିକ ସଂଖ୍ୟାରେ ମୃତ୍ୟୁ ‌ ହୋଇଥିଲା ବୋଲି କମିଟି କହିଥିଲା। ଏଯାବତ ୨୪ ରୋଗୀଙ୍କୁ କ୍ଷତିପୂରଣ ଦିଆସରିଛି। ଆନ୍ଧ୍ରପ୍ର‌ଦେଶରେ ୪୫ ଜଣଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ରାଜ୍ୟ ସରକାର ୨୩ ଜଣଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁକୁ ହାଇକୋର୍ଟରେ ସ୍ବୀକାର କରିଛନ୍ତି। ସେହିପରି ହରିୟାଣାରେ ମଧ୍ୟ ଅକ୍ସିଜେନ୍‌ ଅଭାବରୁ ଏପ୍ରିଲ ୫ରୁ ମେ’ ୧ ମଧ୍ୟରେ ୧୯ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ସରକାର ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଅକ୍ସିଜେନ୍‌ ଅଭାବରୁ ରାଜ୍ୟରେ କୌଣସି ମୃତ୍ୟୁ ହୋଇନାହିଁ: ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

ମୁମ୍ବାଇ : ଅକ୍ସିଜେନ୍‌ ଅଭାବଜନିତ ମୃତ୍ୟୁକୁ ନେଇ କେନ୍ଦ୍ର ସରକାର ଗତକାଲି ସଂସଦରେ ରଖିଥିବା ମନ୍ତବ୍ୟ ପାଇଁ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ତେବେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେଙ୍କ ଟିପ୍ପଣୀ କେନ୍ଦ୍ର ସରକାରଙ୍କ ସପକ୍ଷରେ ଯାଇଛି। ଟୋପେ କହିଛନ୍ତି, ଅକ୍ସିଜେନ୍‌ ଅଭାବ ଯୋଗୁଁ ରାଜ୍ୟରେ କୌଣସି ମୃତ୍ୟୁ ହୋଇନାହିଁ। ଟୋପେ କହିଛନ୍ତି, ଆମେ କେବେ ବି କହିନୁ ଯେ, ଅକ୍ସିଜେନ୍‌ ଅଭାବ ଯୋଗୁଁ ରାଜ୍ୟରେ ମୃତ୍ୟୁ ହୋଇଛି। ଅନ୍ୟାନ୍ୟ ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ପାଇଁ କିଛି ରୋଗୀଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଅକ୍ସିଜେନ୍‌ ଅଭାବ ଯୋଗୁଁ କୌଣସି ରୋଗୀଙ୍କ ମୃତ୍ୟୁ ହୋଇନଥିବା ସେ କହିଛନ୍ତି। ନାସିକ ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ଅଭାବ ଯୋଗୁଁ ୨୨ ରୋଗୀଙ୍କ ମୃତ୍ୟୁ ହୋଇଥିଲା ବୋଲି ସ୍ଥାନୀୟ ଅଧିକାରୀମାନେ କହିଥିଲେ। ଟୋ‌ପେ ଉକ୍ତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସରକାରଙ୍କ ବିରୋଧରେ ମାମଲା ରୁଜୁ ହେଉ: ସଂଜୟ ରାଉତ
ନୂଆଦିଲ୍ଲୀ: ଅକ୍ସିଜେନ୍‌ ଅଭାବ ଯୋଗୁଁ ଦେଶରେ କୌଣସି କରୋନା ମୃତ୍ୟୁ ହୋଇନି ବୋଲି କେନ୍ଦ୍ର ସରକାର କହିବାପରେ ଶିବସେନା ସାଂସଦ ସଂଜୟ ରାଉତ କଡ଼ା ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି ରାଉତ କହିଥିଲେ ସରକାରଙ୍କ ଏହି ଟିପ୍ପଣୀ ପାଇଁ ସରକାରଙ୍କ ବିରୋଧରେ ମାମଲା ରୁଜୁ କରାଯାଉ। ବିଜେପି ରାଉତଙ୍କ ପ୍ରତିକ୍ରିୟାର ଆଜି କଡ଼ା ଜବାବ ରଖିଛି। ବିଜେପି କହିଛି, ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ ଉପରେ କେନ୍ଦ୍ର ନିର୍ଭରଶୀଳ ଥିଲା। ମହାରାଷ୍ଟ୍ର ସରକାର ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଥିଲେ ଯେ, ଦ୍ବିତୀୟ ଲହରରେ ରାଜ୍ୟରେ କୌଣସି କରୋନା ମୃତ୍ୟୁ ଅକ୍ସିଜେନ୍‌ ପାଇଁ ହୋଇନାହିଁ। ସଂଜୟ ରାଉତ ଲଜ୍ଜାହୀନ ରାଜନୀତି କରୁଛନ୍ତି ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର