କରୋନା ଆକ୍ରାନ୍ତ ହୋଇ ଦେଶରେ ୧୯୬ ଡାକ୍ତର ମୃତ୍ୟୁବରଣ କରିସାରିଲେଣି

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଏ ପର୍ଯ୍ୟନ୍ତ ଭାରତରେ ପ୍ରାୟ ୧୯୬ ଜଣ ଡାକ୍ତର ପ୍ରାଣ ହରାଇସାରିଲେଣି ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ପକ୍ଷରୁ କୁହାଯାଇଛି । ଏ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଆଇଏମଏ ପକ୍ଷରୁ ନିବେଦନ କରାଯାଇଛି ।

ଆଇଏମଏ ପକ୍ଷରୁ କୁହାଯାଇଛି କରୋନା ଚିକିତ୍ସାରେ ନିୟୋଜିତ ଥିବା ୧୯୬ ଜଣ ଡାକ୍ତର ପ୍ରାଣ ହରେଇସାରିଲେଣି । ସେମାନଙ୍କ ମଧ୍ୟରୁ ୧୭୦ ଜଣଙ୍କ ବୟସ ୫୦ ବର୍ଷରୁ ଅଧିକ । ପୁଣି ଏମାନଙ୍କର ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ଜେନେରାଲ ପ୍ରାକ୍ଟିସନର (ସାଧାରଣ ଡାକ୍ତର) । ଦିନକୁ ଦିନ କରୋନା ବିରୋଧୀ ଲଢେଇରେ ନିୟୋଜିତ ଥିବା ଅଧିକ ସଂଖ୍ୟକ ଡାକ୍ତର ସଂକ୍ରମିତ ହେଉଛନ୍ତି ଓ ପ୍ରାଣ ହରାଉଛନ୍ତି । ଏହାର କାରଣ ହେଉଛି ସାଧାରଣ ଲୋକେ ଥଣ୍ଡା କିମ୍ବା ଜ୍ୱାରରେ ପୀଡ଼ିତ ହେଲେ ପ୍ରଥମେ ସାଧାରଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତି । ଏଣୁ ଏହି ଡାକ୍ତରମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି । ଆହୁରି ଦୁର୍ଭାଗ୍ୟଜନକ ବିଷୟ ହେଉଛି ଡାକ୍ତର ଓ ତାଙ୍କ ପରିବାର ଲୋକେ ସଂକ୍ରମିତ ହୋଇ ଅସୁସ୍ଥ ହେଲେ ସେମାନଙ୍କୁ ମେଡିକାଲରେ ଶଯ୍ୟା ମିଳୁନାହିଁ । ଏଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଡାକ୍ତର ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଅନ୍ତୁ ବୋଲି ଆଇଏମଏ ପକ୍ଷରୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର