୧୯୬୭ ଚତୁର୍ଥ ସାଧାରଣ ନିର୍ବାଚନ: କଂଗ୍ରେ‌ସର ଆସନ ସଂଖ୍ୟା କମିଲା

୨୫ କୋଟି ମତଦାତା, ୫୨୦ ଲୋକସଭା ଆସନ

୧୯୬୭ ଚତୁର୍ଥ ସାଧାରଣ ନିର୍ବାଚନରେ ଦେଶର ମୋଟ ମତଦାତାଙ୍କ ସଂଖ୍ୟା ୨୫ କୋଟିରେ ପହଞ୍ଚିଥିଲା। ପ୍ରଥମ ଥର ପାଇଁ ଡିଲିମିଟେସନ ପ୍ରକ୍ରିୟା ଜରିଆରେ ନିର୍ବାଚନମଣ୍ଡଳୀ ଗୁଡ଼ିକର ବ୍ୟାପକ ପୁନର୍ଗଠନ କରାଯାଇ ମୋଟ ଆସନ ସଂଖ୍ୟା ୫୨୦କୁ ବୃଦ୍ଧି କରାଯାଇଥିଲା। ୬୧.୩ ପ୍ରତିଶତ ମତଦାତା ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ।

କମ୍ୟୁନିଷ୍ଟ ଓ ସୋସାଲିଷ୍ଟ ଦଳ ବିଭାଜିତ
୧୯୬୪ରେ ଦୁଇଟି ବଡ଼ ଦଳର ବିଭାଜନ ହୋଇଥିଲା। ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ)ରୁ ଅଲଗା ହୋଇ ସିପିଆ(ଏମ୍) ଆଉ ଏକ ଦଳ ଭାବେ ଉଭା ହୋଇଥାଏ। ସେହିପରି ସେହିବର୍ଷ ମଧ୍ୟ ପ୍ରଜା ସୋସାଲିଷ୍ଟ ପାର୍ଟିରୁ ଗୋଟିଏ ଗୋଷ୍ଠୀ ଅଲଗା ହୋଇ ସଂଯୁକ୍ତ ସୋସାଲିଷ୍ଟ ପାର୍ଟି (ଏସ୍‌ଏସ୍‌ପି)ଗଠନ କରିଥିଲେ। ୧୯୬୯ରେ ଏସ୍‌ଏସ୍‌ପିର ନେତୃତ୍ବ ନେଇଥିଲେ ଜର୍ଜ ଫର୍ଣ୍ଣାଣ୍ଡେଜ। ୧୯୭୨ରେ ପିଏସ୍‌ପି ଓ ଏସ୍‌ଏସ୍‌ପିର ମିଶ୍ରଣ ହୋଇ ଏଣିକି ସୋସାଲିଷ୍ଟ ପାର୍ଟି ଭାବରେ ନାମିତ ହୋଇଥିଲା।

ନିର୍ବାଚନରେ ଯୁଦ୍ଧ କ୍ଷତିଗ୍ରସ୍ତ ଅର୍ଥନୀତିର ପ୍ରଭାବ ଅନୁଭୂତ
ତିନିବର୍ଷ ମଧ୍ୟରେ ଦେଶକୁ ଦୁଇଦୁଇଟି ଯୁଦ୍ଧକୁ ସାମନା କରିବାକୁ ପଡ଼ିଥିବାରୁ ୧୯୬୧-୬୬ ପଞ୍ଚବାର୍ଷିକ ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଦେଶର ଅର୍ଥନୀତି ବହୁତ ପଛରେ ଥାଏ। ଅଭିବୃଦ୍ଧିର ହାର ପାଇଁ ୫.୬% ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ପ୍ରକୃତରେ ହାସଲ ହୋଇଥିଲା ମାତ୍ର ୨.୪%। ନେତୃତ୍ବ କନ୍ଦଳ ଭିତରେ ଭାରତୀୟ ଜାତୀୟ କଂଗ୍ରେସ ୧୯୬୭ ନିର୍ବାଚନକୁ ସାମନା କଲା। ପୂର୍ବଥର କଂଗ୍ରେସ ଦଳ ୩୭୧ ଆସନ ପାଇଥିବା ବେଳେ ଏଥର ତାହା ୨୮୩କୁ ଖସିଆସିଲା। ଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କ ସ୍ବତନ୍ତ୍ର ଦଳ ୪୪ ଆସନ ସହ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଦୁଇ କମ୍ୟୁନିଷ୍ଟ ଦଳ(ସିପିଆଇ ୨୩ ଓ ସିଏମ୍‌ ୧୯)ର ମୋଟ ଆସନ ସଂଖ୍ୟା ଥିଲା ୪୨। ସେହିପରି ଜୟପ୍ରକାଶ ନାରାୟଣ ଓ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ପ୍ରଜା ସୋସାଲି‌େ୍ଟ ପାର୍ଟିକୁ ୧୩ ଆସନ ମିଳିଥିବା ବେଳେ ସଂଯୁକ୍ତ ସୋସାଲିଷ୍ଟ ପାର୍ଟିକୁ ମିଳିଥିଲା ୨୩ ଆସନ। ଭାରତୀୟ ଜନସଂଘ ୩୫ ଆସନ ପାଇଥିଲା।

ନେହରୁଙ୍କ ଅବର୍ତ୍ତମାନରେ ପ୍ରଥମ ନିର୍ବାଚନ; କଂଗ୍ରେସରେ ନେତୃତ୍ବ ସଙ୍କଟ
୧୯୬୨ ତୃତୀୟ ଲୋକସଭା ନିର୍ବାଚନ ପରବର୍ତ୍ତୀ ପାଞ୍ଚବର୍ଷରେ ଦେଶରେ ବହୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ। ୧୯୬୨ରେ ଚୀନ ଯୁଦ୍ଧରେ ପରାଭବ ଭୋଗିବା ପରେ ନେହରୁଙ୍କ ବିୟୋଗ ଘଟିଥିଲା। ୧୯୬୫ରେ ପାକିସ୍ତାନକୁ ଭାରତ ଅପଦସ୍ଥ କରିବା ସତ୍ତ୍ବେ ଲାଲବାହାଦୁର ଶାସ୍ତ୍ରୀଙ୍କ ବିୟୋଗ କଂଗ୍ରେସରେ ନେତୃତ୍ବ ସଂକଟ ସୃଷ୍ଟି କରିଥାଏ। ଏହି ପାଞ୍ଚବର୍ଷ ମଧ୍ୟରେ ଦେଶରେ ମୋଟ ୫ ଥର ପ୍ରଧାନମନ୍ତ୍ରୀଙ୍କ ପାଇଁ ଶପଥ ଗ୍ରହଣ ସମାରୋହ ଆୟୋଜନ ହୋଇଥାଏ। ପ୍ରଧାନମନ୍ତ୍ରୀ ଭାବେ ନେହରୁ, ଶାସ୍ତ୍ରୀ ଓ ଇନ୍ଦିରାଙ୍କ ବ୍ୟତୀତ ଗୁଲଜାରିଲାଲ ନନ୍ଦା ମଧ୍ୟ ଦୁଇଥର କାମଚଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ତୃତୀୟ ଲୋକସଭାର ଶେଷବେଳକୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ଉପପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ମଧ୍ୟରେ କ୍ଷମତା କନ୍ଦଳ ଆରମ୍ଭ ହୋଇଯାଇଥାଏ।

ସମ୍ବନ୍ଧିତ ଖବର