ନୂଆଦିଲ୍ଲୀ: ୧୯୮୪ ଶିଖ୍‌ ବି‌ରୋଧୀ ଦଙ୍ଗା ସହ ଜଡ଼ିତ ଏକ ହତ୍ୟା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜି ଆଜୀବନ କାରାଦଣ୍ଡ ହୋଇଛି। ୨ ଶିଖ୍‌ଙ୍କ ହତ୍ୟାରେ ସଜ୍ଜନଙ୍କ ଭୂମିକା ପାଇଁ ଆଜି ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଏହା ସଜ୍ଜନଙ୍କ ପାଇଁ ଦ୍ବିତୀୟ କାରାଦଣ୍ଡ‌। ପୂର୍ବରୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ୍‌ ଦଙ୍ଗା ମାମଲାରେ ସମ୍ପୃକ୍ତି ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇ ସାରିଛି। ରାଉଜ୍‌ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ବିଚାରପତି କ‌ାବେରୀ ବାୱେଜା ଆଜି ସଜ୍ଜନ କୁମାରଙ୍କ ବିରୋଧରେ ଦଣ୍ଡା‌ଦେଶ ଶୁଣା‌ଇଛନ୍ତି। ୧୯୮୪ ନଭେମ୍ବର ୧ ତାରିଖରେ ଦିଲ୍ଲୀର ସରସ୍ବତୀବିହାର ଅଞ୍ଚଳରେ ଜସୱନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କୁ ହତ୍ୟା ପାଇଁ କିଛି ବିଶୃଙ୍ଖଳ ଜନତାଙ୍କୁ ଉସୁକାଇଥିବା ନେଇ କୋର୍ଟ କୁମାରଙ୍କୁ ଦାୟୀ କରିଛନ୍ତି।  ମାମଲାର ଶୁଣାଣି ସମୟରେ କୁହାଯାଇଛି ଯେ କୁମାରଙ୍କ ନେତୃତ୍ବରେ କିଛି ହିଂସ୍ର ଜନତା ମାରଣାସ୍ତ୍ର ଧରି ବଡ଼ ଧରଣର ହତ୍ୟା, ଲୁଟପାଟ୍‌ ଓ ପୋଡ଼ାଜଳା କରିଥିଲେ ଏବଂ ଶିଖ୍‌ମାନଙ୍କର ବ୍ୟାପକ ସମ୍ପତ୍ତି ନଷ୍ଟ କରିଥିଲେ। ଯଶୱନ୍ତ ସିଂହଙ୍କୁ ହତ୍ୟା ମାମଲାରେ ତାଙ୍କ ପତ୍ନୀ, ସଜ୍ଜନ କୁମାରଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାକୁ ଦାବି କରିଥିଲେ।  

Advertisment

ମୃତ୍ୟୁଦଣ୍ଡ ନହେବାରୁ ଶିଖ୍‌ ନେତା ଅସନ୍ତୁଷ୍ଟ

ଉଲ୍ଲେଖଯୋଗ୍ୟ,  ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ୨ ଜଣ ଶିଖ୍‌ ସୁରକ୍ଷାକର୍ମୀ ହତ୍ୟା କରିବା ପ‌ରେ ଦିଲ୍ଲୀରେ ବଡ଼ ଧରଣର ଦଙ୍ଗା ହୋଇଥିଲା। ଆଜି କୋର୍ଟ  ରାୟକୁ ଶିଖ୍‌ ନେତାମାନେ ବିରୋଧ କରିଛନ୍ତି।  ସଜ୍ଜନ କୁମାରଙ୍କୁ କାହିଁକି ମୃତ୍ୟୁଦଣ୍ଡ ମିଳିଲାନି ବୋଲି ଶିଖ୍‌ ନେତାମାନେ ପ୍ରଶ୍ନ କରିଛନ୍ତି। ଶିଖ୍‌ ନେତା ଗୁରୁଲାଡ଼ ସିଂହ କହିଛନ୍ତି, ଆମେ ମୃତ୍ୟୁଦଣ୍ଡ ବିନା ଅନ୍ୟ କିଛି ଗ୍ରହଣ କରିବୁନି। କୋର୍ଟଙ୍କ ରାୟରେ ଆମେ ଖୁସି ନାହୁଁ।  ଆମେ ସଜ୍ଜନ କୁମାରଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବାପାଇଁ ଉଚ୍ଚ ଅଦାଲତରେ ଆବେଦନ କରିବୁ ବୋଲି ସେ କହିଛନ୍ତି। ସଜ୍ଜନ କୁମାର ଏବେ ତିହାର ଜେଲ୍‌ରେ ଅଛନ୍ତି।