ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର ଆତ୍ମସମର୍ପଣ ପାଇଁ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସମୟ ମାଗି ଆଜି (ଗୁରୁବାର) ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଆଗତ କରିଛନ୍ତି। ପୂର୍ବରୁ ଗତ ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା କୋର୍ଟରେ ଆତ୍ମ ସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଅଭିଯୁକ୍ତ ସଜ୍ଜନ କୁମାରଙ୍କ ପକ୍ଷରୁ ଆଇନ୍ଜୀବୀ ଅନୀଲ ଶର୍ମା ଆଜି ଦିଲ୍ଲୀ ହାଇକୋର୍ଟରେ ଆଗତ କରିଥିବା ଆବେଦନରେ କହିଛନ୍ତି ଯେ ଦିଲ୍ଲୀ ହାଇକୋର୍ଟର ରାୟ ବିରୋଧରେ ସୁପ୍ରିମ୍ କୋର୍ଟରେ ଆବେଦନ କରିବା ପାଇଁ ସଜ୍ଜନ କୁମାରଙ୍କୁ ଆଉ ଅଧିକ ଦିନର ଆବଶ୍ୟକତା ରହିଛି ଏବଂ ଆଜୀବନ କରାଦଣ୍ଡ ପାଇଁ ହୋଇଥିବା ଦଣ୍ଡାଦେଶକୁ ଭୋଗ କରିବାକୁ ଆତ୍ମ ସମର୍ପଣ କରିବା ପୂର୍ବରୁ ସଜ୍ଜନ କୁମାରଙ୍କୁ ତାଙ୍କ ପିଲାମାନଙ୍କର ଓ ସଂପତ୍ତିର ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ଅଧିକ ସମୟର ଆବଶ୍ୟକତା ରହିଛି। ତେଣୁ, ଏହାକୁ ବିଚାରକୁ ନେଇ ତାଙ୍କ ଆତ୍ମ ସମର୍ପଣର ସମୟ ସୀମାକୁ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସେ ସେ କୋର୍ଟଙ୍କୁ ନିବେଦନ କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହ ଆସନ୍ତା ଶୁକ୍ରବାର ଦିନ ଏହି ଆବେଦନର ଶୁଣାଣି କରିବେ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୮୪ରେ ଦିଲ୍ଲୀରେ ସଂଘଟିତ ଶିଖ୍ ବିରୋଧୀ ଦଙ୍ଗାରେ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ ଦଙ୍ଗା ଭିଆଇଥିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି।