ମୁମ୍ବାଇ: ଫେରାର ହୋଇ ଯାଇଥିବା ‘ଓ୍ଵାନ୍ଏବୋଭ୍’ ରେଷ୍ଟୋବାର୍ର ଦୁଇ ଅଂଶୀଦାର କୃପେଶ ସାଙ୍ଗ୍ଓ୍ଵି ଏବଂ ତାଙ୍କ ଭାଇ ଜିଗରଙ୍କୁ ପୁଲିସ ବୁଧବାର ରାତିରେ ବାନ୍ଦ୍ରାରୁ ଗିରଫ କରିଛି।
ସାଙ୍ଗଓ୍ଵି ଭ୍ରାତା ଏବଂ ତାଙ୍କର ତୃତୀୟ ଅଂଶୀଦାର ଅଭିଜିତ ମଙ୍କଡ଼ ଡିସେମ୍ବର ୨୯ ତାରିଖରୁ ଫେରାର ହୋଇ ଆତ୍ମଗୋପନ କରିଥିଲେ। କମଳା ମିଲ୍ସ୍ ଅନ୍ତର୍ଗତ ସେମାନଙ୍କ ‘ଓ୍ଵାନ୍ଏବୋଭ୍’ ରେସ୍ତୋରାଁରେ ଅଗ୍ନିକାଣ୍ଡ ଘଟି ୧୪ ଜଣ ଲୋକ ମୃତ୍ୟୁ ବରଣ କରିବା ପରେ ପୁଲିସ ସେମାନଙ୍କ ବିରୋଧରେ କଲ୍ପାବଲ୍ ହୋମିସାଇଡ୍ ଚାର୍ଜ କରିଥିଲା।
୧୨ ଦିନ ନିରୁଦ୍ଦିଷ୍ଟ ରହିବା ପରେ କୃପେଶ ଏବଂ ଜିଗରଙ୍କୁ ହାଜତକୁ ନିଆଯାଇଛି ବୋଲି ଅତିରିକ୍ତ ପୁଲିସ କମିସନର୍ ଏସ୍ ଜୟକୁମାର ସୂଚନା ଦେଇଛନ୍ତି। ଗୁରୁବାର ଦିନ ତାଙ୍କୁ ଅଦାଲତରେ ହାଜର କରାଯିବ। କିନ୍ତୁ, ମଙ୍କଡ଼ ଏବେ ମଧ୍ୟ ନିରୁଦ୍ଦେଶ ଅଛନ୍ତି।
ତିନି ଫେରାର ଆସାମୀଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ମଙ୍ଗଳବାର ଦିନ ଗିରଫ ହୋଇଥିବା ଜୁହୁ ବାସିନ୍ଦା ବିଶାଳ କାରିଆଙ୍କୁ ପଚରା ଉଚୁରା କରାଯିବା ପରେ ସାଙ୍ଗ୍ଓ୍ଵି ଭ୍ରାତାଙ୍କର ଠିକଣା ସମ୍ପର୍କରେ ସୂଚନା ମିଳିଥିଲା ବୋଲି ପୁଲିସ କହିଛି।
ପୁଲିସ ଯୁଗ୍ମ କମିସନର ଦେବେନ ଭାରତୀ କହିନ୍ତି: ବାନ୍ଦ୍ରା ଠାରେ ଜଣେ ବରିଷ୍ଠ ଓକିଲଙ୍କୁ ଦୁହେଁ ଭେଟିବାକୁ ଯାଉଥିବା କଥା ଜାଣିବାକୁ ପାଇବା ପରେ ତାଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇ ଥିଲା।
ଗିରଫ ହୋଇଥିବା ବିଶାଳ କାରିଆଙ୍କୁ ବୁଧବାର ପୂର୍ବାହ୍ନରେ ଭୋଇଓ୍ଵାଡ଼ା ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ଜାନୁଆରି ୧୭ ଯାଏଁ ପୁଲିସ ହାଜତରେ ରଖିବାକୁ ଆଦେଶ ଦେଇଥିଲେ। କାରିଆଙ୍କ ଜୁହୁ ଘରୁ ସାଙ୍ଗ୍ଓ୍ଵି ଭ୍ରାତାଙ୍କର ଏକ ଅଡି କାର୍ ଜବତ କରାଯାଇଥିଲା। କାରିଆ ସେମାନଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି କି, ନାହିଁ ସେ ସମ୍ବନ୍ଧରେ ପୁଲିସ ତଦନ୍ତ ଚଳାଇଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।