୨ ଦିନରେ ଲକ୍ଷେ ସଂକ୍ରମିତ, ଦିନକରେ ପୁଣି ୪୯ ହଜାର ସଂକ୍ରମିତ

ଟେଷ୍ଟିଂରେ ନୂଆ ରେକର୍ଡ, ୨୪ ଘଣ୍ଟାରେ ୪.୨ ଲକ୍ଷ ନମୁନା ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଆଜି ୧୩ ଲକ୍ଷ ଟପିଯାଇଛି। ଲଗାତାର ୪ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୪୫ ହଜାରରୁ ଅଧିକ ରହୁଛି। ଦେଶରେ ସଂକ୍ରମିତ ସଂଖ୍ୟା ୧୨ ଲକ୍ଷରୁ ୧୩ ଲକ୍ଷ ହେବାପାଇଁ ମାତ୍ର ୨ ଦିନ ଲାଗିଛି। ଅନ୍ୟପକ୍ଷେ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୪୯ ହଜାର ୪୩୧କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତ‌ରେ ୪୮ ହଜାର ୯୧୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା‌ବେଳେ ୭୫୭ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ୧୩ ଲକ୍ଷ ୩୬ ହଜାର ୮୬୧କୁ ବୃଦ୍ଧି ପାଇଛି ଏବଂ ୩୧ ହଜାର ୩୫୮ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ୪ ଲକ୍ଷ ୫୬ ହଜାର ୭୧ ସକ୍ରିୟ ମାମଲା ରହିଛି। ମୋଟ୍‌ ୬୩.୫୪ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଚଳିତ ମାସ ଆରମ୍ଭରୁ ଦେଶରେ ଦୈନିକ ସଂକ୍ରମଣ ପୂର୍ବାପେକ୍ଷ‌ା ଦ୍ବିଗୁଣାରୁ ଅଧିକ ରହିଛି। ଜୁଲାଇ ମାସର ପ୍ରଥମ ୪ ଦିନରେ ସଂକ୍ରମଣ ମାମଲା ୨୨ ହଜାର ୩୬୬ ଥିଲା।‌ ତେବେ ଜୁଲାଇ ୧ରୁ ୪ ଏବଂ ୧୯-୨୩ ମଧ୍ୟରେ ରାଜ୍ୟମାନଙ୍କର ସଂକ୍ରମଣ ସଂଖ୍ୟାକୁ ଯଦି ତୁଳନା କରାଯ‌ାଏ ତେବେ ଏହ‌ା ଜଣାପଡ଼ୁଛି ଯେ, ୨୨ ପ୍ରଭାବିତ ରାଜ୍ୟ ମଧ୍ୟରୁ ୨୦ଟିରେ ସଂକ୍ରମଣ ମାମଲା ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି। ଦେଶରେ ସଂକ୍ରମଣ ବଢ଼ୁଛି, କିନ୍ତୁ ଏହା ସମାନ ହାରରେ ବଢ଼ୁନାହିଁ। କେବଳ ଦିଲ୍ଲୀରେ ସଂକ୍ରମଣ ମାମଲା ୫୩ ପ୍ରତିଶତ କମିଯାଇଛି। ମହାରାଷ୍ଟ୍ରରେ ଶୁକ୍ରବାର ୯,୬୧୫ ନୂଆ ମାମଲା ଚିହ୍ନଟ ହୋଇଥିଲା। ମହାରାଷ୍ଟ୍ର‌ରେ ମୋଟ୍‌ ସଂକ୍ରମଣ ମାମଲା ୩.୫ ଲକ୍ଷ ଟପିଯାଇଛି।

ମୃତ୍ୟୁହାର ୨.୩୫%, ୨୦ ରାଜ୍ୟରେ ସଂକ୍ରମଣ ୩୦% ବୃଦ୍ଧି

ଆନ୍ଧ୍ରପ୍ରଦେଶରେ ଗତକାଲି ୮,୧୪୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ତାମିଲନାଡ଼ୁରେ ୬,୭୮୫, ଉତ୍ତରପ୍ରଦେଶରେ ୨,୭୧୨ ଏବଂ ବିହାରରେ ୧,୮୨୦ ମାମଲା ଚିହ୍ନଟ ହୋଇଥିଲ‌ା। ମହାରାଷ୍ଟ୍ରରେ ସର୍ବାଧିକ ୧୩ ହଜାର ୧୩୨ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଦିଲ୍ଲୀରେ ୩,୭୭୭, ତାମିଲନାଡ଼ୁରେ ୩,୩୨୦, ଗୁଜରାଟରେ ୨,୨୭୮, କର୍ଣ୍ଣାଟକରେ ୧,୭୨୪, ଉତ୍ତରପ୍ରଦେଶରେ ୧,୩୪୮, ପଶ୍ଚିମବଙ୍ଗରେ ୧,୨୯୦, ଆନ୍ଧ୍ରପ୍ରଦେଶରେ ୯୩୩ ଏବଂ ମଧ୍ୟପ୍ରଦେଶରେ ୭୯୧ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମଣ ମାମଲା ୩ ଲକ୍ଷ ୫୭ ହଜାର ୧୧୭କୁ ବୃଦ୍ଧି ପାଇଥିବାବେଳେ ତାମିଲନାଡ଼ୁରେ ୧ ଲକ୍ଷ ୯୯ ହଜାର ୭୪୯, ଦିଲ୍ଲୀରେ ୧ ଲକ୍ଷ ୨୮ ହଜାର ୩୮୯, ଏବଂ କର୍ଣ୍ଣାଟକରେ ୮୫ ହଜାର ୮୭୦ ମାମଲା ରହିଛି।

ଟେଷ୍ଟିଂରେ ନୂଆ ରେକର୍ଡ, ୨୪ ଘଣ୍ଟାରେ ୪.୨ ଲକ୍ଷ ନମୁନା ପରୀକ୍ଷା
ନୂଆଦିଲ୍ଲୀ: ଭାରତ ‌ଟେଷ୍ଟିଂରେ ଏକ ନୂଆ ରେକର୍ଡ କରିଛି। ଶନିବାର ଦିନ ଭାରତ ଦିନକରେ ୪ ଲକ୍ଷ ୨୦ ହଜାର ନମୁନା ପରୀକ୍ଷା କରିଛି। ପ୍ରଥମ ଥର ପାଇଁ ଦେଶରେ ଏତେ ସଂଖ୍ୟା‌ରେ ନମୁନା ପରୀକ୍ଷା କରାଯାଇଛି। ୨୪ ଘଣ୍ଟାରେ ୪ ଲକ୍ଷ ୨୦ ହଜାର ୮୯୮ ନମୁନା ପରୀକ୍ଷା ହେବା ସହ ଭାରତର ଟିପିଏମ୍‌ (ପ୍ରତି ୧୦ ଲକ୍ଷରେ ଟେଷ୍ଟ୍‌) ୧୧, ୪୮୫କୁ ବୃଦ୍ଧି ପାଇଛି। ଏଯାବତ୍‌ ଦେଶରେ ୧ କୋଟି ୫୮ ଲକ୍ଷ ୪୯ ହଜାର କୋଭିଡ୍‌ ଟେଷ୍ଟ୍‌ ହୋଇଛି। ଆମେରିକା ପରେ ଭାରତ ସର୍ବାଧିକ କରୋନା ‌ଟେଷ୍ଟ୍‌ କରୁଛି। ଜାନୁଆରି‌ରେ ପ୍ରଥମେ ଗୋଟିଏ ଟେଷ୍ଟ୍‌ ଲ୍ୟାବ୍‌ରୁ କରୋନା ଟେଷ୍ଟ୍‌ ଆରମ୍ଭ ହୋଇଥିଲା କିନ୍ତୁ ଏବେ ଏହା ୧୩ ଶହ ଟପିସାରିଛି। ବିଶାଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତରେ ଟେଷ୍ଟିଂ ଅଧିକ ବଢ଼ିବାରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇପାରୁଛନ୍ତି। ଗତ ଗୋଟିଏ ସପ୍ତାହ‌ରେ ଭାରତ ପ୍ରତିଦିନ ୩ ଲକ୍ଷ ୫୦ ହଜାର କୋଭିଡ୍‌ ଟେଷ୍ଟ୍‌ କରିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ‌ଟେଷ୍ଟ୍‌, ଟ୍ରାକ୍‌ ଏବଂ ଟ୍ରିଟ୍‌ ରଣନୀତି ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର