ନୂଆଦିଲ୍ଲୀ: ୨୦୨୬ରେ ଗୁଜୁରାଟର ସୁରଟ ଏବଂ ବିଲିମୋରା ମଧ୍ୟରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର କହିଛନ୍ତି।
ସରକାରଙ୍କ ଉଚ୍ଚାଭିଳାଷୀ ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଅଗ୍ରଗତି ଯାଞ୍ଚ କରିବା ପାଇଁ ରେଳମନ୍ତ୍ରୀ ବୈଷ୍ଣବ ସୁରଟ ଗସ୍ତରେ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ଅହମ୍ମଦାବାଦ ଏବଂ ମୁମ୍ବାଇ ମଧ୍ୟରେ ବୁଲେଟ୍ ଟ୍ରେନ୍ ପାଇଁ ଭିତ୍ତିଭୂମି ନିର୍ମାଣରେ ଭଲ ଅଗ୍ରଗତି ହୋଇଛି ଏବଂ ଏହି କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି ବୋଲି ସ୍ଥିତି ସମୀକ୍ଷା କଲାପରେ କହିଛନ୍ତି ରେଳମନ୍ତ୍ରୀ। ‘ଆମେ ୨୦୨୬ରେ ସୁରଟ ଏବଂ ବିଲିମୋରା ମଧ୍ୟରେ ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଇବାର ଲକ୍ଷ୍ୟ ରଖିଛୁ। କାର୍ଯ୍ୟର ପ୍ରଗତି ବହୁତ ଭଲ, ଏବଂ ଆମେ ସେହି ସମୟ ସୁଦ୍ଧା ଟ୍ରେନ୍ ଚଳାଇବା ପାଇଁ ଆତ୍ମବିଶ୍ୱାସୀ’ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି।
ବିଲିମୋରା ଦକ୍ଷିଣ ଗୁଜୁରାଟର ନବସାରୀ ଜିଲ୍ଲାର ଏକ ସହର। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଅହମ୍ମଦାବାଦ ଏବଂ ମୁମ୍ବାଇ ମଧ୍ୟରେ ଏକ ହାଇସ୍ପିଡ୍ ରେଳ (ଏଚଏସଆର) କରିଡରରେ ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗରେ ବୁଲେଟ୍ ଟ୍ରେନ୍ ଚଳାଇବା; ଯାହା ୫୦୮ କିଲୋମିଟର ଏବଂ ୧୨ଟି ଷ୍ଟେସନ୍ର ଦୂରତାକୁ ଅତିକ୍ରମ କରିବ। ଟ୍ରେନ୍ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ବର୍ତ୍ତମାନର ଛଅ ଘଣ୍ଟାରୁ ପ୍ରାୟ ତିନି ଘଣ୍ଟାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି।
ଜାପାନ ଆନ୍ତର୍ଜାତୀୟ ସହଯୋଗ ଏଜେନ୍ସି (ଜେଆଇସିଏ) ପ୍ରକଳ୍ପ ମୂଲ୍ୟର ୮୧ ପ୍ରତିଶତ ପାଣ୍ଠି ଯୋଗାଉଛି ଯାହା ୧.୧ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/bullet-train.jpg)