ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ପଶ୍ଚିମ ଉତ୍ତରପ୍ରଦେଶରେ ୧୧ ଜିଲ୍ଲାର ୫୮ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ଚାଲୁ ରହିଛି। ନିର୍ବାଚନ କମିସନ୍‌ଙ୍କ ନି‌ର୍ଦ୍ଦେଶାବଳି ଅନୁଯାୟୀ ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଭୋଟ ପ୍ରକ୍ରିୟା ଶେଷ ହେବ। ସନ୍ଧ୍ୟା ୫ଟା ସୁଦ୍ଧା ପ୍ରାୟ ୫୭.୭୯ ପ୍ରତିଶତ ଲୋକ ଭୋଟ୍ ଦେଇଥିବା ଜଣାପଡ଼ିଛି।

Advertisment

ଆଜି ହେଉଥିବା ପ୍ରଥମ ପର୍ଯ୍ୟାୟ‌ ମତଦାନରେ କିଛି ମନ୍ତ୍ରୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ମନ୍ତ୍ରୀମାନେ ହେଉଛନ୍ତି ଶ୍ରୀକାନ୍ତ ଶର୍ମା, ସୁରେଶ ରଣା, ସନ୍ଦୀପ ସିଂହ, କପିଳ ଦେବ ଅଗ୍ରୱାଲ୍‌, ଅତୁଲ ଗାର୍ଗ ଏବଂ ଚୌଧୁରୀ ଲକ୍ଷ୍ମୀ ନାରାୟଣ। ଆଜି ଶାମ୍‌ଲି, ହାପୁର, ଗୌତମ ବୁଦ୍ଧ ନଗର, ମୁଜାଫରନଗର, ମିରଟ, ବାଗପତ, ଗାଜିଆବାଦ, ବୁଲନ୍ଦସର, ଆଲିଗଡ଼, ମଥୁରା ଏବଂ ଆଗ୍ରାରେ ଭୋଟ୍‌ ଗ୍ରହଣ ହେଉଛି। ପ୍ରଥମ ପର୍ଯ୍ୟାୟରେ ଜାଟ୍‌ ଆଧିପତ୍ୟ ଅଞ୍ଚଳରେ ଭୋଟ୍‌ ଗ୍ରହଣ ହେଉଛି। ଏହି ଅଞ୍ଚଳରୁ କୃଷକମାନେ ବ୍ୟାପକ ଭାବେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୬୨୩ ପ୍ରାର୍ଥୀ ନିର୍ବାଚନୀ ଦୌଡ଼ରେ ଅଛନ୍ତି। ଏହି ପର୍ଯ୍ୟାୟରେ ୨.୨୭ କୋଟି ଭୋଟର ଭୋଟ୍‌ ଦେବାପାଇଁ ଯୋଗ୍ୟ।

ଉଲ୍ଲେଖ‌ଯୋଗ୍ୟ ୨୦୧୭ରେ ବିଜେପି ଏହି ୫୮ ଆସନରୁ ୫୩ଟିରେ ଜିତିଥିଲା। ସମାଜବାଦୀ ପାର୍ଟି ଏବଂ ବିଏସ୍‌ପି ୨ଟି ଲେଖା‌ଏଁ ଆସନରେ ଜିତିଥିଲେ ଏବଂ ରାଷ୍ଟ୍ରୀୟ ଲୋକ ଦଳ ଗୋଟିଏ ଆସନ ହାସଲ କରିଥିଲା।