ନୂଆଦିଲ୍ଲୀ : ଆଜି ଭାରତକୁ ରାଫେଲ ଯୁଦ୍ଧ ବିମାନ ଆସିବାକୁ ଥିବା ବେଳେ ଏହାକୁ ଆଣିବା ପାଇଁ ପ୍ୟାରିସ୍ରେ ଯାଇ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତେବେ ଭାରତକୁ ଆସିବା ପୂର୍ବରୁ ରାଫେଲ୍ ଯୁଦ୍ଧ ବିମାନର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ରାଫେଲ ଯୁଦ୍ଧ ବିମାନକୁ ନେଇ ବାୟୁସେନା ସମେତ ସାରା ଦେଶବାସୀ ଉତ୍ସାହିତ ଅଛନ୍ତି ।
ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନ କରି ପାରୁଥିବା ରାଫେଲ୍ ଭାରତକୁ ଅପ୍ରତିଦ୍ୱନ୍ଦ୍ୱୀ କରିବା ସହ ଶତୃ ଶିବିରରେ କମ୍ପନ ସୃଷ୍ଟି କରିବ। ଭାରତକୁ ପ୍ରଥମ ରାଫେଲ୍ ଜେଟ୍ ହସ୍ତାନ୍ତର କରିବା ପୂର୍ବରୁ ୟୁରୋପୀୟ କ୍ଷେପଣାସ୍ତ୍ର ନିର୍ମାଣକାରୀ ସଂସ୍ଥା ‘ଏମ୍ବିଡିଏ’ ଏଭଳି ମତ ରଖିଥିଲେ । ରାଫେଲ୍ ବିମାନ ମେଟଏର ଓ ସ୍କାପ୍ କ୍ଷେପଣାସ୍ତ୍ର ବହନ କରିବାର କ୍ଷମତା ରଖିଥିବାରୁ ଏହା ଭାରତର ଶତୃ ଶିବିରରେ ଆତଙ୍କ ସୃଷ୍ଟି କରିବ ବୋଲି ନିର୍ମାଣକାରୀ ସଂସ୍ଥା କହିଛି। ଆକାଶରୁ ଆକାଶକୁ ମାରକ କ୍ଷମତା ଥିବା ମେଟଏର୍ ମିଜାଇଲ୍ ଏବଂ ସ୍କାପ୍ କ୍ରୁଜ୍ ମିଜାଇଲ୍ ପ୍ୟାକେଜ୍ ଥିବା ୩୬ଟି ରାଫେଲ୍ ଜେଟ୍କୁ ଭାରତ ପାଇଁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଛି। ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବହନ କରି ପାରୁଥିବା ରାଫେଲ୍ ଭାରତର ଶକ୍ତି ବୃଦ୍ଧି କରିବା ସହ ଚୀନ୍ ଏବଂ ପାକିସ୍ତାନ ସୀମାରେ ଏବେ ଭାରତର ସ୍ଥିତି ଅତ୍ୟନ୍ତ ସୁଦୃଢ଼ ହେବ।
ଚୁକ୍ତିନାମା ସ୍ବାକ୍ଷର ହେବାର ତିନି ବର୍ଷ ପରେ ଭାରତ ଏହାର ପ୍ରଥମ ରାଫେଲ୍ ଯୁଦ୍ଧ ବିମାନ ହାସଲ କରିବାକୁ ଯାଉଛି। ଫ୍ରାନ୍ସର ଯୁଦ୍ଧ ବିମାନ ନିର୍ମାଣକାରୀ ସଂସ୍ଥା ଡାସଲ୍ଟ ଆଭିଏସନ୍ ଦ୍ବାରା ପ୍ରସ୍ତୁତ ରାଫେଲ୍ ଜେଟ୍ ଭାରତୀୟ ବାୟୁସେନାର ଶକ୍ତିକୁ ଯଥେଷ୍ଟ ବଢ଼ାଇବ ବୋଲି ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭାଦୋରିଆ କହିଛନ୍ତି।