ଶ୍ରୀଲଙ୍କା : ସିରିଜ ବିସ୍ଫୋରଣ ପରେ ପ୍ରଥମ ରବିବାର, ଚର୍ଚ୍ଚଗୁଡ଼ିକରେ ସାମୁହିକ ପ୍ରାର୍ଥନା ବନ୍ଦ
କଲମ୍ବୋ : ଶ୍ରୀଲଙ୍କା ସିରିଜ ବୋମା ବିସ୍ଫୋରଣ ଘଟଣା ପରେ ଆଜି ହେଉଛି ପ୍ରଥମ ରବିବାର । ଗତ ରବିବାର ଦିନ ଶ୍ରୀଲଙ୍କାରେ ହୋଇଥିବା ଏହି ଆତଙ୍କବାଦୀ କାଣ୍ଡ ସାରା ବିଶ୍ୱକୁ ଥରେଇ ଦେଇଥିଲା । କିନ୍ତୁ ଶ୍ରୀଲଙ୍କାର ସ୍ଥିତି ଏବେ ସୁଧୁରିନଥିବାରୁ ଆଜି କଲମ୍ବୋ ସମେତ ଅନ୍ୟ ପ୍ରମୁଖ ସହରରେ ଥିବା ଚର୍ଚ୍ଚ ଗୁଡ଼ିକରେ ସାମୁହିକ ପ୍ରାର୍ଥନା ହୋଇନାହିଁ । ଭାଟିକାନର ଅନୁମତି କ୍ରମେ କଲମ୍ବୋର କ୍ୟାଥଲିକ ଆର୍କବିସପ ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି କୌଣସି ଧାର୍ମିକ ସମାବେଶରେ ଏକତ୍ରିତ ନହେବାକୁ ଖ୍ରୀଷ୍ଟିଆନ ମାନଙ୍କୁ ପରାମର୍ଶ ଦିଆଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ରବିବାରଦିନ ଇଷ୍ଟରପର୍ବ ଅବସରରେ କଲମ୍ବୋରେ ଲଗାତାର୯ଟି ବୋମା ବିସ୍ଫୋରଣ ଘଟି ମୋଟ ପ୍ରାୟ ୩୬୦ ବ୍ୟକ୍ତି ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଶ୍ରୀଲଙ୍କାର ଗୁଇନ୍ଦା ବିଭାଗ ଆଗକୁ ଆହୁରି ବିସ୍ଫୋରଣର ହେବାର ଆଶଙ୍କା ବ୍ୟକ୍ତ କରୁଥିବାରୁ କଲମ୍ବୋରେ ଏବେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଗୁରୁବାରଦିନ ରାଜଧାନୀ କଲମ୍ବୋଠାରୁ ୪୦ କିଲୋମିଟର ଦୂର ପୁଗୋଡା ଟାଉନରେ ଆଉ ଏକ ଛୋଟ ଧରଣର ବିସ୍ଫୋରଣ ହୋଇଛି । ଏଥିରେ କୌଣସି ଜନଜୀବନ ହାନୀ ହୋଇନାହିଁ । ଶନିବାରଦିନ ଶ୍ରୀଲଙ୍କା ସେନା ଆକ୍ରମଣରେ କେତେକ ସଂଦିଗ୍ଧ ଆତଙ୍କବାଦୀ ନିହତ ହୋଇଥିଲେ ।