ଭାରତରେ ପ୍ରଥମ କରୋନା ଭାଇରସ ମୃତ୍ୟୁ ସଂଦେହ, ସାଉଦି ଆରବରୁ ଫେରିଥିବା ୭୬ ବର୍ଷୀୟ ବୃଦ୍ଧ ମୃତ

ନୂଆଦିଲ୍ଲୀ : ଭାରତରେ ପ୍ରଥମ କରୋନା ଭାଇରସ ମୃତ୍ୟୁ କର୍ଣ୍ଣାଟକରେ ହୋଇଥିବା ସଂଦେହ କରାଯାଉଛି । ରାଜ୍ୟର କଲବୁର୍ଗୀ ଜିଲ୍ଲାରେ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନା ସଂକ୍ରମିତ ହୋଇଥିବା ସଂଦେହରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁବରଣ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ତାଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁଁ ହୋଇଛି କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ହୋଇଛି ତାହା ଏପର୍ଯ୍ୟନ୍ତ ଡାକ୍ତରମାନେ ସ୍ପଷ୍ଟ କରିନାହାନ୍ତି ।

ମୃତ ବ୍ୟକ୍ତିଙ୍କ ନାମ ମହମ୍ମଦ ହୁସେନ ସିଦ୍ଦିକି ହୋଇଥିବାବେଳେ ସେ ନିକଟରେ ସାଉଦି ଆରବରୁ ତୀର୍ଥ ଯାତ୍ରା କରି ଫେରିଥିଲେ । ସାଉଦିରୁ ଫେରିବା ପରେ କରୋନା ସଂଦେହରେ ତାଙ୍କ ରକ୍ତ ନମୁନା ସଂଗ୍ରହ କରି ବାଙ୍ଗାଲୁରୁର ଏକ ପରୀକ୍ଷାଗାରକୁ ପଠାଯାଇଥିଲା । ତେବେ ରିପୋର୍ଟ ଆସିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଛି ।

ସାରା ଭାରତରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଆଜି ରାଜସ୍ଥାନ ଓ ଦିଲ୍ଲୀରୁ ୨ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି । ଅନ୍ୟପକ୍ଷରେ ଆମେରିକାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୦୦୦ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୩୧ରେ ପହଞ୍ଚିଛି । ୟୁରୋପୀୟ ଦେଶ ଇଟାଲୀରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୦ ହଜାର ଟପିଯାଇଛି । ଏହି ଦେଶରେ ମୃତ୍ୟୁସଂଖ୍ୟା ୩୬ ପ୍ରତିଶତ ବୃଦ୍ଧି ପାଇ ୬୩୧ରେ ପହଞ୍ଚିଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର