ନୂଆଦିଲ୍ଲୀ: ଉପରାଜ୍ୟପାଳ ଭିକେ ସକ୍ସେନା କହିଛନ୍ତି ଯେ ଚଳିତ ବର୍ଷର ଇଦ୍‌ ବୋଧହୁଏ ଦିଲ୍ଲୀ ଇତିହାସରେ ପ୍ରଥମ ଥର ପାଇଁ ମସଜିଦ ପରିସରରେ ହିଁ ନମାଜ ପଢ଼ାଯାଇଥିଲା, ରାସ୍ତାରେ ନୁହେଁ। ଏବଂ ଏହା ସୌହାର୍ଦ୍ଦ୍ୟ ଏବଂ ସଦ୍ଭାବନାର ଏକ ଉତ୍କୃଷ୍ଟ ଉଦାହରଣ।

Advertisment

ଉପରାଜ୍ୟପାଳ ସକ୍ସେନା ଗୁରୁବାର ଇଦ୍‌ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଏହା ଦର୍ଶାଉଛି ଯେ ପାରସ୍ପରିକ ଆଲୋଚନା ଏବଂ ସଦ୍ଭାବନା ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇପାରିବ। ସକ୍ସେନା କହିଛନ୍ତି ଯେ ଦିଲ୍ଲୀରେ କୌଣସି ସ୍ଥାନରେ ରାସ୍ତାରେ ନମାଜ ପାଠ କରାଯାଇ ନାହିଁ ଏବଂ କୌଣସି ସ୍ଥାନରେ କୌଣସି ପ୍ରକାରର ଅପ୍ରୀତିକର ଘଟଣା ଘଟିନାହିଁ।

ଏଲ୍‌ ଜି ସକ୍ସେନା କହିଛନ୍ତି, ଇଦ୍‌-ଉଲ୍‌-ଫିତରର ଶୁଭେଚ୍ଛାର ପୁନରାବୃତ୍ତି କରି ମୁଁ ଦିଲ୍ଲୀର ସମସ୍ତ ମସଜିଦ୍‌ ଏବଂ ଇଦ୍‌ଗାହ ଏବଂ ଆମର ସମସ୍ତ ମୁସଲମାନ ଭାଇମାନଙ୍କୁ ମସଜିଦ ପରିସରରେ ନମାଜ ପାଠ କରିଥିବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି।

ମସଜିଦ୍‌ ପରିସରରେ ନମାଜ ଆୟୋଜନ କରି ଇମାମ ଓ ମୁସଲମାନ ସମ୍ପ୍ରଦାୟର ସଦସ୍ୟମାନେ ସୁନିଶ୍ଚିତ କରିଥିଲେ ଯେ ରାସ୍ତାରେ ଯାତାୟାତ ଯେପରି ପ୍ରଭାବିତ ନହୁଏ ଏବଂ କୌଣସି ଅପ୍ରୀତିକର ଘଟଣା ନ ଘଟେ ଏବଂ ସାଧାରଣ ଲୋକ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ସେମାନେ ବିଶେଷ ଧ୍ୟାନ ଦେବେ।
ଦିଲ୍ଲୀ ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ଲୋକମାନେ ମସଜିଦ ଏବଂ ଇଦ୍‌ଗାହ ଭିତରେ ନମାଜ ପାଠ କରିଛନ୍ତି, ରାସ୍ତାରେ ନୁହେଁ। ଆଜି ଏପରି କରି ଦିଲ୍ଲୀ ଦେଶ ପାଇଁ ସୌହାର୍ଦ୍ଦ୍ୟ ଓ ସହଯୋଗର ଏକ ବଡ଼ ଉଦାହରଣ ସୃଷ୍ଟି କରିଛି।

ଏପ୍ରିଲ ୪ ତାରିଖରେ ଦିଲ୍ଲୀର ଅନେକ ଇମାମଙ୍କ ସହ ଏକ ବୈଠକରେ ସେ ଏ ସମ୍ପର୍କରେ ଆଲୋଚନା କରି ନିବେଦନ କରିଥିଲେ ବୋଲି ଉପରାଜ୍ୟପାଳ କହିଛନ୍ତି। ‘ନମାଜ’ ପାଠର ସମୟ ନିର୍ଦ୍ଧାରଣ ପାଇଁ ତାଙ୍କ ପରାମର୍ଶକୁ ସ୍ୱାଗତ କରିବା ସହ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମୁସ୍‌ଲିମ୍‌ ସଂପ୍ରଦାୟ ପ୍ରତିଶ୍ରୁତି ଦେଇଥିଲେ।