୨.୨୭ ଲକ୍ଷ ଗର୍ଭବତୀ ଟିକା ନେଇଛନ୍ତି, ଶୀର୍ଷରେ ତାମିଲନାଡ଼ୁ

ନୂଆଦିଲ୍ଲୀ: ଗର୍ଭବତୀ ମହିଳାମାନଙ୍କ ପାଇଁ ଟିକାକରଣ କେନ୍ଦ୍ର ଖୋଲିବା ପରଠାରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ମାସକ ଭିତରେ ୨.୨୭ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ଟିକା ନେଇଛନ୍ତି। ଏ ସମ୍ପର୍କିତ ରାଜ୍ୟଭିତ୍ତିକ ତାଲିକାର ଶୀର୍ଷରେ ରହିଛି ତାମିଲନାଡ଼ୁ ବୋଲି କେନ୍ଦ୍ର ସରକାର ଶୁକ୍ରବାର ସୂଚନା ଦେଇଛନ୍ତି। ଜାତୀୟ ବୈଷୟିକ ଉ‌ପଦେଷ୍ଟାମଣ୍ଡଳୀର ସୁପାରିସ ପରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜୁଲାଇ ୨ ତାରିଖରେ ଗର୍ଭବତୀଙ୍କୁ ଟିକା ଦେବାକୁ ଅନୁମତି ପ୍ରଦାନ କରିଥିଲା। ନିୟମାନୁଯାୟୀ ଗର୍ଭବତୀ ମହିଳାମାନେ ଗର୍ଭାବସ୍ଥାରେ ନିଜ ପସନ୍ଦ ଅନୁଯାୟୀ ଯେକୌଣସି ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ।

ଗତ ଚାରି ସପ୍ତାହ ଭିତରେ ତାମିଲନାଡ଼ୁରେ ୭୮,୮୩୮ ଜଣ ଗର୍ଭବତୀ ମହିଳା ଟିକା ନେଇଥିବା ବେଳେ ତା’ ତଳକୁ ଆନ୍ଧ୍ର ପ୍ରଦେଶରେ ୩୪,୨୨୮ ଜଣ, ଓଡ଼ିଶାରେ ୨୯,୮୨୧ ଜଣ, ମଧ୍ୟପ୍ରଦେଶରେ ୨୧,୮୪୨ ଜଣ, କେରଳରେ ୧୮,୪୨୩ ଜଣ ଏବଂ କର୍ଣ୍ଣାଟକରେ ୧୬,୬୭୩ ଜଣ ଟିକା ନେଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ଗର୍ଭବତୀ ମହିଳା ଓ ତାଙ୍କ ପରିବାରକୁ ଆବଶ୍ୟକ ପରାମର୍ଶ ଦେବା ଲାଗି ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଛି ବୋଲି ସରକାର କହିଛନ୍ତି।

ସମ୍ବନ୍ଧିତ ଖବର