ଧ୍ୱଂସସ୍ତୁପ ତଳେ ବିରୁଟ :ଅଢେଇ ଲକ୍ଷ ଲୋକ ବାସହୀନ ହୋଇଥିବା ଆଶଙ୍କା, ଲେବାନନରେ ଜରୁରୀ ପରିସ୍ଥିତି ଜାରି

ବିରୁଟ : ମଧ୍ୟପ୍ରାଚ୍ୟ ଦେଶ ଲେବାନନର ରାଜଧାନୀ ବିରୁଟରେ ଗତ ମଙ୍ଗଳବାରଦିନ ହୋଇଥିବା ଭୟଙ୍କର ବିସ୍ଫୋରଣ ଫଳରେ ସମଗ୍ର ବିରୁଟ ନଗରୀ ଛାରଖାର ହୋଇଯାଇଛି । ପ୍ରାୟ ୨ ରୁ ୨.୫ ଲକ୍ଷ ଲୋକ ବାସହୀନ ହୋଇଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।
ବିରୁଟର ଗଭର୍ଣ୍ଣର କହିଛନ୍ତି ଯେ ଏହି ବିସ୍ଫୋରଣ ଫଳରେ ପ୍ରାୟ ୨ରୁ ୨.୫ ଲକ୍ଷ ଲୋକ ବାସହୀନ ହୋଇଯାଇଛନ୍ତି । ସେହିପରି ଏହା ଦ୍ୱାରା ୩ରୁ ୫ ବିଲିୟନ ଡଲାରର କ୍ଷତି ହୋଇଥିବା ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୧ ଶହ ଟପିଯାଇଛି ଓ ଆହତ ସଂଖ୍ୟା ୪ ହଜାରରେ ପହଞ୍ଚିଛି । କିନ୍ତୁ କେତେକ ସ୍ଥାନୀୟ ଅଧିକାରୀଙ୍କ ମତରେ ମୃତ୍ୟୁସଂଖ୍ୟା ଆହୁରି ଅନେକ ବଢିପାରେ କାରଣ ଧ୍ୱଂସସ୍ତୁପ ତଳୁ ଅନେକ ଶବ ବାହାରିବାରେ ଲାଗିଛି । ଅନେକ ସ୍ଥାନରେ ଏବେ ବି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଚିନ୍ତାଜନକ ଭାବେ ବଢିପାରେ ।
ଅନ୍ୟପକ୍ଷରେ ଏହି ବିସ୍ଫୋରଣ ପରେ ଲେବାନନ କ୍ୟାବିନେଟର ଏକ ଜରୁରୀ ବୈଠକ ବସି ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ରାଷ୍ଟ୍ରପତି ମାଇକେଲ ଅଉନ କହିଛନ୍ତି ଯେ ଏହି ଘଟଣାପାଇଁ ଦାୟୀ ଲୋକମାନଙ୍କୁ ଛଡ଼ାଯିବ ନାହିଁ ।
ଏହି ଘଟଣା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରନ ଆସନ୍ତା ଗୁରୁବାରଦିନ ଲେବାନନ ଗସ୍ତରେ ଯାଇ ସେଠାକାର ନେତାମାନଙ୍କ ସହ ସହାୟତା ସଂପର୍କରେ ଆଲୋଚନା କରିବେ ।

ସମ୍ବନ୍ଧିତ ଖବର