ଉଡ଼ାଣ ସମୟରେ ଝଡ଼ବତାସରେ କ୍ଷତିଗ୍ରସ୍ତ ହେଲା ଦୁଇ ଏୟାର୍‌ ଇଣ୍ଡିଆ ବିମାନ; ଘଟଣାର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଉଡ଼ାଣ ସମୟରେ ଭୀଷଣ ଝଡ଼ବତାସରେ ସମ୍ମୁଖୀନ ହୋଇ କ୍ଷତିଗ୍ରସ୍ତ ହୋଇଥିବା ଏୟାର୍‌ ଇଣ୍ଡିଆର ବିମାନ ନମ୍ବର ଏଆଇ-୪୬୭ର କ୍ରୁ ମେମ୍ବରମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି ଏୟାର୍‌ ଇଣ୍ଡିଆ।

ଏଆଇ-୪୬୭ ନମ୍ବର ଏୟାର୍‌ବସ୍‌ ୩୨୦ ନୂଆଦିଲ୍ଲୀରୁ ବିଜୟଓ୍ଵାଡ଼ା ମଧ୍ୟରେ ଚଳାଚଳ କରୁଥିଲା।

ଘଟଣାଟି ଘଟିଥିଲା ସେପ୍ଟେମ୍ବର ୧୭ ତାରିଖ ଦିନ, କିନ୍ତୁ ପାଇଲଟ ଏବଂ କ୍ରୁ ମେମ୍ବରମାନେ ନିୟମାନୁସାରେ ଘଟଣା ସଂକ୍ରାନ୍ତରେ ଏୟାର୍‌ ଲାଇନ୍‌ର ଫ୍ଲାଇଟ୍‌ ସେଫ୍‌ଟି ଡିପାର୍ଟମେଣ୍ଟ୍‌କୁ ଜଣାଇ ନ ଥିଲେ। ଏହି କାରଣରୁ ତଦନ୍ତ ଆରମ୍ଭ ହୋଇଛି ବୋଲି ଏୟାର୍‌ ଇଣ୍ଡିଆର ଅଧିକାରୀମାନେ କହିଛନ୍ତି।

ଏଥିରେ କୌଣସି ଯାତ୍ରୀ କିଂବା କ୍ରୁ ମେମ୍ବର୍‌ ଆହତ ହୋଇ ନ ଥିଲେ।

ନୂଆଦିଲ୍ଲୀରୁ କୋଚିନ ଅଭିମୁଖେ ଯାଉଥିବା ଫ୍ଲାଇଟ୍‌ ନମ୍ବର ଏଆଇ-୦୪୮ ଏୟାର୍‌ବସ୍‌-୩୨୧ ମଧ୍ୟ ଅନୁରୂପ ଘଟଣାରେ ସମ୍ମୁଖୀନ ହୋଇଥିଲା।
ଉଡ଼ାଣ ସମୟରେ ଖରାପ ପାଗ ଓ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ବିମାନଟି ଅବରତଣ କରି ୪ ଘଣ୍ଟା ଧରି ତଳେ ରହିବା ପରେ ପୁଣି ଉଡ଼ାଣ ଆରମ୍ଭ କରିଥିଲା।

ଏୟାର୍‌ ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି: ଉଭୟ ଘଟଣାର ତଦନ୍ତ ଚାଲିଛି। ଫ୍ଲାଇଟ୍‌ ସେଫ୍‌ଟି ଡିପାର୍ଟମେଣ୍ଟ୍‌ ଭଲ ଭାବେ ଯାଞ୍ଚ କରିବା ପରେ ଯାଇ ଚଳାଚଳ ପାଇଁ ବିମାନ ଦୁଇଟିକୁ ଅନୁମତି ମିଳିଛି।

ଉଭୟ ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।

ସମ୍ବନ୍ଧିତ ଖବର