ୱାସିଂଟନ୍‌: ଶନିବାର ଦିନ ଟେକ୍ସାସ୍‌ର ଡାଲାସ୍‌ ଆକାଶରେ ‘ଏୟାର୍‌ସୋ’ ପ୍ରଦର୍ଶନ କରୁଥିବା ବେଳେ ଦୁଇଟି ଦ୍ବିତୀୟ ବିଶ୍ବଯୁଦ୍ଧ ଅମଳର ବିମାନ ପରସ୍ପର ସହିତ ଧକ୍କା ଖାଇ ଖଣ୍ଡବିଖଣ୍ଡ ହୋଇ ତଳକୁ ଖସି ପୋଡ଼ିଯାଇଥିବା କଥା ଫେଡେରାଲ୍‌ ଅଧିକାରୀମାନେ କହିଛନ୍ତି।

Advertisment

ଉପରୋକ୍ତ ଦୁର୍ଘଟଣା ସଂକ୍ରାନ୍ତରେ ଜାରି ‌କରାଯାଇଥିବା ବିବୃତିରେ ‘ଫେଡେରାଲ୍‌ ଏଭିଏସନ୍‌ ଆଡ୍‌ମିନଷ୍ଟ୍ରେସନ୍‌’ କହିଛି, ଅପରାହ୍ଣ ୧.୨୦ରେ ‘ୱିଙ୍ଗ୍‌ସ୍‌ ଓଭର୍‌ ଡାଲାସ୍‌ ଏୟାର୍‌ସୋ’ ପ୍ରଦର୍ଶନ ବେଳେ ‘ଡାଲାସ୍‌ ଏକ୍ଜିକ୍ୟୁଟିଭ୍‌ ଏୟାର୍‌ପୋର୍ଟ’ ଉପର ଆକାଶରେ ଗୋଟାଏ ‘ବୋଇଙ୍ଗ୍‌ ବି-୧୭ ଫ୍ଲାଇଙ୍ଗ୍‌ ଫୋର୍ଟରେସ୍‌’ ବୋମାବର୍ଷଣକାରୀ ଏବଂ ଗୋଟାଏ ‘ପି-୬୩ କିଙ୍ଗ୍‌କୋବ୍ରା’ ଲଢୁଆ ବିମାନ ପରସ୍ପର ସହିତ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି।

ଦ୍ବିତୀୟ ବିଶ୍ବଯୁଦ୍ଧକାଳୀନ ଉକ୍ତ ଏୟାର୍‌ସୋ’ର ସମସ୍ତ ଘଟଣାର ଭିଡିଓ ଉତ୍ତୋଳନ କରାଯାଇଛି। ଏହି ଦୁର୍ଘଟଣାରେ କେତେଜଣ ମୃତାହତ ହୋଇଛନ୍ତି ସରକାରୀ ଅଧିକାରୀମାନେ ସୁନିଶ୍ଚିତ କରି କହି ନାହାନ୍ତି। କିନ୍ତୁ, ସଂଗୃହୀତ ରିପୋର୍ଟ ଅନୁସାରେ ବିମାନ ଦୁଇଟିରେ ଅନ୍ୟୂନ ୬ଜଣ ଲୋକ ଥିଲେ। ସମସ୍ତେ ମରିଯାଇଥିବା ଆଶଙ୍କା କରାଯାଉଛି।

publive-image Image Courtesy of India Today

‘ଫେଡେରାଲ୍‌ ଏଭିଏସନ୍‌ ଆଡ୍‌ମିନଷ୍ଟ୍ରେସନ୍‌’ ଏବଂ ‘ନ୍ୟାସ୍‌ନାଲ୍‌ ଟ୍ରାନ୍‌ସ୍‌ପୋର୍ଟେସନ୍‌ ସେଫ୍ଟି ବୋର୍ଡ’ ବିମାନ ଦୁର୍ଘଟଣାର ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ପ୍ରସାରଣ ହୋଇ ଚାଲିଥିବା ଉକ୍ତ ଅଘଟଣ ସମୟର ଦୃଶ୍ୟରେ ଦେଖାଯାଉଛି: ଦ୍ବିତୀୟ ବିଶ୍ବଯୁଦ୍ଧ ଅମଳର ବଡ଼ ବିମାନ ‘ବି-୧୭’ ଉପରେ ଛୋଟ ବିମାନ ‘ବେଲ୍‌ ପି-୬୩ କିଙ୍ଗ୍‌କୋବ୍ରା’ ଉପରେ ଧକ୍କା ଖାଇ ତଳକୁ ଖସିପଡୁଛନ୍ତି। ତଳେ ପଡ଼ି ଖଣ୍ଡବିଖଣ୍ଡ ହୋଇଯିବା କ୍ଷଣି ବିମାନ ଦୁଇଟି ଅଗ୍ନି ଗୋଲକ ପାଲଟି ଯାଉଛନ୍ତି।

ସୂଚନ‌ାଯୋଗ୍ୟ, ଚାରି ଇଞ୍ଜିନ୍‌ବିଶିଷ୍ଟ ବୋମାବର୍ଷଣକାରୀ ‘ବି-୧୭’ ବିମାନ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜର୍ମାନି ଉପରେ ବିଜୟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେହିପରି, ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ‘ବେଲ୍‌ ଏୟାର୍‌କ୍ରାଫ୍‌ଟ୍‌’ଦ୍ବାରା ବିକଶିତ ‘ପି-୬୩ କିଙ୍ଗ୍‌କୋବ୍ରା’ ନାମକ ଲଢୁଆ ବିମାନକୁ କେବଳ ସୋଭିଏତ୍‌ ଏୟାର୍‌ ଫୋର୍ସ ବ୍ୟବହାର କରୁଥିଲା।