ସମାଧିରୁ ୧୫୦ଟି ମୃତଦେହ କାଢି ଖାଇଦେଇଥିଲେ ଦୁଇ ଭାଇ, ଘରୁ ଜବତ ହୋଇଥିଲା ମଣିଷ ମାଂସ ତରକାରୀ !
କରାଚୀ: ବାଘ-ସିଂହ ଭଳି ବନ୍ୟଜନ୍ତୁ ମଣିଷଙ୍କୁ ମାରି ଖାଇଥିବାର କଥା ଆପଣ ଶୁଣିଥାଇପାରନ୍ତି | ଆଦିମ ଯୁଗରେ ମଧ୍ୟ ମଣିଷ, ମଣିଷର ମାଂସ ଖାଉଥିବା କଥା ବି ଆପଣ ବହିରେ ପଢ଼ିଥିବେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଦୁଇଜଣ ଭାଇଙ୍କ କଥା କହିବୁ ଯେଉଁମାନେ ପାଖାପାଖି ୧୫୦ଟି ମୃତଦେହକୁ ସମାଧିରୁ କାଢି ଖାଇଦେଇଛନ୍ତି | ଏହି ଦୁଇ ଭାଇଙ୍କ ନାମ ହେଉଛି ମହମ୍ମଦ ଫରମାନ ଅଲ୍ଲୀ ଓ ମହମ୍ମଦ ଅରିଫ ଅଲ୍ଲୀ | ପାକିସ୍ତାନର ପଞ୍ଜାବ ଅଂଚଳରେ ଥିବା ଖାବବାର ଗାଁରେ ଏହି ଦୁଇ ଭାଇ ରହନ୍ତି | ଦୁଇ ଭାଇ ବିବାହିତ ହୋଇଥିଲେ ବି ନିଜ ପତ୍ନୀମାନଙ୍କୁ ମାରପିଟ କରିବା ଫଳରେ ସେମାନେ ଛାଡ଼ି ପଳାଇଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
କେମିତି ଜଣାପଡିଥିଲା ଦୁଇ ଭାଇଙ୍କ କଳା କାରନାମା
୨୦୧୧ ମସିହାରେ ଏକ ସମାଧିରୁ ଜଣେ ଯୁବତୀଙ୍କ ମୃତ ଶରୀର ଗାୟବ ହୋଇଯାଇଥିଲା | ଯୁବତୀଙ୍କ ସମ୍ପର୍କୀୟ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନଭିନ ଆରମ୍ଭ କରିଥିଲା | ପୁଲିସ ଶବ ଗାୟବ ପଛରେ ଦୁଇ ଭାଇଙ୍କର ହାତ ଥିବା ଜାଣିପାରିଥିଲା | ଏହା ପରେ ସେମାନଙ୍କ ଘରେ ଯାଞ୍ଚ କରାଯାଇଥିଲା | ଏହି ସମୟରେ ସେମାନଙ୍କ ଘରୁ କଟାଯାଇଥିବା ଅଙ୍ଗପ୍ରତ୍ୟଙ୍ଗ ସହ ମାଂସ ତରକାରୀ ଜବତ କରିଥିଲା | ଏହା ପରେ ପୁଲିସ ଦୁଇ ଭାଇଙ୍କୁ ଗିରଫ କରି ପଚରାଉଚୁରା କରିଥିଲା | ଏହି ସମୟରେ ଦୁଇ ଭାଇଙ୍କର ବୟାନ ପୁଲିସ ଅଧିକାରୀଙ୍କୁ ମଧ୍ୟ ତାଜୁବ କରିଦେଇଥିଲା | ସେମାନେ କହିଥିଲେ ଯେ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ମୃତଦେହକୁ ଖାଇଦେଇ ଥିବାବେଳେ କମ ସମୟ ମଧ୍ୟରେ ମାଟିରେ ପୋତାଯାଇଥିବା ଶବ ହିଁ ସମାଧିରୁ ନେଇଆସୁଥିଲେ |
ଜେରା ପରେ ପୁଲିସ ସେମାନଙ୍କୁ କୋର୍ଟରେ ହାଜର କରିଥିଲା | କିନ୍ତୁ ପାକିସ୍ତାନ ଆଇନରେ ଏଭଳି କାରନାମା ପାଇଁ କ’ଣ ଦଣ୍ଡ ଦିଆଯିବ ସେଥିପାଇଁ କୌଣସି ପ୍ରାବଧାନ ନଥିଲା | ଏହା ପରେ ଦୁଇ ଭାଇଙ୍କ ନାମରେ ସମାଧିକୁ କ୍ଷତି କରିବା ମୋକଦ୍ଦମା ଚାଲିଥିଲା | ଅଦାଲତ ଦୁହିଁଙ୍କୁ ୨ ବର୍ଷର ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ଆଦେଶ ଦେଇଥିଲେ | ତେବେ ଏହି ଦୁଇ ବର୍ଷ ମଧ୍ୟରେ ଅଧିକାଂଶ ସମୟ ଏମାନେ ଡାକ୍ତରଖାନାରେ ରହିଥିଲେ | କାରଣ ଡାକ୍ତରଖାନାରେ ଏମାନଙ୍କ ମାନସିକ ଚିକିତ୍ସା ଚାଲିଥିଲା | ୨ ବର୍ଷ ପରେ ଦୁଇ ଭାଇଙ୍କ ଜେଲ ଦଣ୍ଡ ସମ୍ପୂର୍ଣ୍ଣ ହେବା ପରେ ଏମାନଙ୍କୁ ୨୦୧୩ ମସିହାରେ ମୁକ୍ତ କରାଯାଇଥିଲା |
ଏହା ପରେ ଦୁଇ ଭାଇ ଗାଁରେ ପହଂଚିବା ପରେ ଗ୍ରାମବାସୀଙ୍କ ମନରେ ଛନକା ପଶିଥିଲା | ୨୦୧୪ ମସିହା ଏପ୍ରିଲ ମାସରେ ପୁଲିସ ପାଖରେ ପୁଣି ଗ୍ରାମବାସୀ ଅଭିଯୋଗ କରିଥିଲେ ଯେ ଦୁଇ ଭାଇଙ୍କ ଘରୁ ମୃତ ଦେହର ଗନ୍ଧ ଆସୁଛି | ଏହା ପରେ ପୁଲିସ ଚଢ଼ାଉ କରି ଦୁଇ ବର୍ଷର ଏକ ଶିଶୁ ମୁଣ୍ଡ ସହ ମଣିଷ ମାଂସର ତରକାରୀ ଜବତ କରିଥିଲା | ଏହା ପରେ ପୁଣି ସେମାନଙ୍କୁ ଅଦାଲତରେ ହାଜର କରାଯାଇଥିଲା | ଏଥର କୋର୍ଟ ଦୁଇ ଭାଇଙ୍କୁ ୧୨ ବର୍ଷର ଦଣ୍ଡ ଶୁଣାଇଛନ୍ତି | ଏବେ ଏହି ଦୁଇ ଭାଇ ଜେଲରେ ଅଛନ୍ତି |