ଶ୍ରୀନଗର: ଗୁରୁବାର ରାତିରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଆର୍ଣ୍ଣିଆ ସେକ୍ଟର୍ର ସୀମାନ୍ତ ଅଞ୍ଚଳରେ ପାକିସ୍ତାନୀ ସେନା ଅକାରଣରେ ଗୁଳି ଚଳାଇବା ଓ ‘ମୋର୍ଟାର୍ ସେଲିଙ୍ଗ୍’ ଫିଙ୍ଗିବାରୁ ୨ଜଣ ‘ବିଏସ୍ଏଫ୍’ ଯବାନ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି।
‘ବିଏସ୍ଏଫ୍’ର ଜଣେ ମୁଖପାତ୍ର କହିଛନ୍ତି, ରାତି ପ୍ରାୟ ୮ ବେଳେ ଆର୍ଣ୍ଣିଆ ସେକ୍ଟର୍ ଆଡ଼କୁ ପାକିସ୍ତାନୀ ସେନା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଅକାରଣ ଗୁଳି ଚାଳନାର ଉପଯୁକ୍ତ ଜବାବ ମଧ୍ୟ ଦିଆଯାଇଛି।
ଜମ୍ମୁର ଆର୍ଣ୍ଣିଆ ଅଞ୍ଚଳର ଜଣେ ବାସିନ୍ଦା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି, ସନ୍ଧ୍ୟା ବେଳେ ଗୁଳି ଚାଳନା ଆରମ୍ଭ ହେଲା। ପ୍ରାୟ ୪ ବର୍ଷ ପରେ ଏଭଳି ଅଘଟଣ ଘଟିଛି। ଆମ ସହିତ ଆମ ପିଲାପିଲି ଅଛନ୍ତି। ସବୁ ଘର ‘ବଙ୍କର୍’ ହୋଇ ନ ଥିବାରୁ ଏହା ଆମ ପାଇଁ ବଡ଼ ଉଦ୍ବିଗ୍ନର ବିଷୟ।
/sambad/media/post_attachments/bf7d893c8171563b2b7781356ba2491dfdc0d2b8a710820e8ee291c46d5fbd12.jpg)
‘ବିଏସ୍ଏଫ୍’ର ଜଣେ ଅଧିକାରୀ କହିଛନ୍ତି, ଉଭୟ ପକ୍ଷର ଗୁଳି ବିନିମୟ ଘଟଣାରେ ୪/୫ଟି ପୋଷ୍ଟ୍ ସମ୍ପୃକ୍ତ ଅଛନ୍ତି।
ବିଶେଷଧରଣର ଚିକିତ୍ସା ନିମନ୍ତେ ଆହତ ଯବାନଙ୍କୁ ଜମ୍ମୁରେ ଥିବା ‘ଜିଏମ୍ସି’ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଗୁଳି ବିନିମୟରେ ପାକିସ୍ତାନ ସେନାର ହୋଇଥିବା କ୍ଷୟକ୍ଷତି ସଂକ୍ରାନ୍ତରେ ସକାଳେ ଜଣାପଡ଼ିବ ବୋଲି ସେ କହିଛନ୍ତି।
ସେହିପରି, ପାକିସ୍ତାନୀ ରେଞ୍ଜର୍ମାନେ ସାଧାରଣ ନାଗରିକ ବସବାସ କରୁଥିବା ଅଞ୍ଚଳରେ ‘ମୋର୍ଟାର୍ ସେଲ୍’ ପକାଇବାରୁ ସୀମାନ୍ତରେ ବସବାସ କରୁଥିବା ଲୋକେ ଆତଙ୍କିତ ହୋଇଯାଇଥିଲେ।