ନୂଆଦିଲ୍ଲୀ: ବିନା ଭିସାରେ ଭାରତୀୟ ଅଞ୍ଚଳ ମଧ୍ୟରେ ପଶି ଦୁଇ ଜଣ ଚୀନ ନାଗରିକ ବିହାରରେ ନେପାଳ ସୀମା ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି ବୋଲି ସୋମବାର ଦିନ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ବିନା ଭିସାରେ ଭାରତୀୟ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିବା ପରେ ଏହି ଦୁଇ ଚୀନ୍ ନାଗରିକ ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରାୟ ପନ୍ଦର ଦିନ ଧରି ରହିଥିଲେ।
ବିହାର ସୀତାମାରୀର ଆରକ୍ଷୀ ଅଧୀକ୍ଷକ ହରକିଶୋର ରାୟଙ୍କ କହିବା ନୁସାରେ, ରବିବାର ଦିନ ସଶସ୍ତ୍ର ସୀମା ସୁରକ୍ଷା ବଳ (ଏସଏସବି)ର କର୍ମଚାରୀମାନେ ଏହି ଦୁଇ ବିଦେଶୀଙ୍କୁ ଧରିଥିଲେ। ଧରା ପଡ଼ିଥିବା ଦୁଇ ଚୀନ୍ ନାଗରିକ ହେଲେ ଲୁ ଲାଙ୍ଗ (୨୮) ଏବଂ ୟୁଆନ୍ ହାଇଲୋଙ୍ଗ୍ (୩୪)। ଚୀନ୍ ପାସପୋର୍ଟ ଏମାନଙ୍କ ପାଖରେ ଥିବା ଜଣାପଡିଛି। ତେବେ, ସେମାନଙ୍କ ପାଖରେ କୌଣସି ଭିସା ନାହିଁ ବୋଲି ଅଧିକାରୀ କହିଛନ୍ତି। ସେମାନେ ଏକ ଟ୍ୟାକ୍ସିରୁ ଓହ୍ଲାଇ ପାଦରେ ଭାରତ-ନେପାଳ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଧରା ପଡିଥିଲେ।
ପଚରାଉଚରା ସମୟରେ ଚୀନ୍ ଲୋକମାନେ ପ୍ରକାଶ କରିଥିଲେ ଯେ ସେମାନେ ନେପାଳରେ ହିଚକିଙ୍ଗ୍ କରୁଥିବା ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ ଏବଂ ନୋଏଡା ଯାଇଥିଲେ। ଯେଉଁଠାରେ ସେମାନେ ଜଣେ ପରିଚିତ ବ୍ୟକ୍ତିଙ୍କ ଘରେ ରହିଥିଲେ।
ଅନ୍ୟପକ୍ଷରେ ସଶସ୍ତ୍ର ସୀମା ସୁରକ୍ଷା ବଳ (ଏସଏସବି) ଏକ ବିବୃତ୍ତିରେ କହିଛି ଯେ ସେମାନଙ୍କର ମୋବାଇଲ୍ ଫୋନ୍ ରେକର୍ଡ ଏବଂ ଅନ୍ୟାନ୍ୟ ଜିନିଷର ପରୀକ୍ଷାରୁ ଜଣାପଡିଛି ଯେ ଏହି ଚୀନ୍ ନାଗରିକମାନେ ଏକ ଆର୍ଥିକ ଠକେଇ ରାକେଟର ଅଂଶ ବିଶେଷ ଅଟନ୍ତି। ସେମାନଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ଏସପି କହିଛନ୍ତି ଯେ ବିଦେଶୀ ଆଇନ ଅନୁଯାୟୀ ଏହି ଯୋଡିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ଅନୁସନ୍ଧାନ ଚାଲିଛି।