ଥାନା ହାଜତରେ ଅଛନ୍ତି ଦୁଇଟି କୁକୁଡ଼ା, ଦାନା ଖୁଆଉଛନ୍ତି ପୁଲିସ ବାବୁ

ହାଇଦ୍ରାବାଦ: ଥାନା ହାଜତରେ ଅଛନ୍ତି ଅପରାଧୀଙ୍କ ବଦଳରେ ଅଛନ୍ତି ଦୁଇଟି କୁକୁଡ଼ା | ଆଉ କୁକୁଡ଼ାଙ୍କ ପାଇଁ ଖାଦ୍ୟ-ପାନୀୟର ବ୍ୟବସ୍ଥା କରିଛନ୍ତି ଥାନା କର୍ମଚାରୀ | ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ମିଳିଥିବା ସୂଚନା ମୁତାବକ ତେଲେଙ୍ଗାନାର ମୁଦିଗୋଣ୍ଡା ଜିଲ୍ଲାର ଏକ ପୁଲିସ ଥାନାର ଦୁଇଟି କୁକୁଡ଼ାଙ୍କୁ ତାଲା ପକାଇ ରଖାଯାଇଛି | ଖବର ଅନୁଯାୟୀ, ମକର ସଂକ୍ରାନ୍ତିର କିଛି ଦିନ ତଳେ ମୁଦିଗୋଣ୍ଡାର ସବ୍-ଇନ୍ସପେକ୍ଟର ଟି ନରେଶଙ୍କୁ ବନାପୁରମ୍ ଗାଁରେ କୁକୁଡ଼ା ଖେଳ ହେଉଥିବାର ସୂଚନା ମିଳିଥିଲା | ଏହା ପରେ ଥାନା ଅଧିକାରୀ ତାଙ୍କ ଟିମ ସହ ଖେଳ ହେଉଥିବା ସ୍ଥାନରେ ଚଢ଼ାଉ କରି କିଛି ଯୁବକଙ୍କୁ ଗିରଫ କରିଥିଲେ | ପୁଲିସ ୧୦ ଜଣ ଯୁବକଙ୍କୁ ଗିରଫ କରିବା ସହ ଦୁଇଟି କୁକୁଡ଼ାକୁ ଜବତ କରିଥିଲା |

ତେବେ ଜାମିନ ପାଇ ୧୦ ଜଣ ଯୁବକ ଘରକୁ ଚାଲିଯାଇଥିବାବେଳେ ଥାନା ହାଜତରେ ଏବେ ଦୁଇଟି କୁକୁଡ଼ା ବନ୍ଦୀ ଜୀବନ କାଟୁଛନ୍ତି | ବଡ କଥା ଯେ କୁକୁଡ଼ା ଖେଳ କରି ଟଙ୍କା କମାଉଥିବା ଅଭିଯୁକ୍ତମାନେ ଜାମିନ ଚାଲିଯାଇଥିବାବେଳେ ନିରୀହ କୁକୁଡ଼ା ଦୁଇଟିଙ୍କୁ ହାଜତରେ ରଖାଯାଇଛି |

ଯେତେବେଳେ ପୁଲିସକୁ ଏ ବିଷୟରେ ପଚରାଯାଇଥିଲା, ସେତେବେଳେ ପୁଲିସ କହିଛି ଯେ ଦୁଇଟି କୁକୁଡ଼ାକୁ ଏହି ମାମଲାରେ ପ୍ରମାଣ ରୂପେ କୋର୍ଟରେ ହାଜର କରାଯିବ ଏବଂ କୋର୍ଟରେ ଶୁଣାଣି ପରେ ହିଁ କେବେ ଜେଲରୁ ମୁକ୍ତି ପାଇବେ ସେ ନେଇ ନିଷ୍ପତ୍ତି ନିଆଯିବ | ତେବେ ଖବର ଅନୁଯାୟୀ, ଏହି ଦୁଇଟି କୁକୁଡ଼ାଙ୍କୁ ଥାନା କର୍ମଚାରୀମାନେ ଖାଇବାକୁ ଦେଉଥିବାବେଳେ ଥାନାକୁ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ଦୁଇଟି କୁକୁଡ଼ା ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି |

ସମ୍ବନ୍ଧିତ ଖବର