ବେଙ୍ଗାଲୁରୁ: ଜଣେ ଯୁବକ ଫେସ୍ବୁକ୍ରେ ଆପତ୍ତିଜନକ ପ୍ରସଙ୍ଗ ପୋଷ୍ଟ୍ କରିବା କଥାରୁ ମଙ୍ଗଳବାର ରାତିରେ ବେଙ୍ଗାଲୁରୁ ସହରରେ ଉପୁଜିଥିବା ହିଂସାକାଣ୍ଡ ସମୟରେ ପୁଲିସ ଗୁଳି ଚାଳଇବାରୁ ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସଂଘର୍ଷରେ ସମ୍ପୃକ୍ତ ଅନ୍ୟ ୧୫୦ଜଣରୁ ଅଧିକ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।
ପୂର୍ବ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ୨ ଓ ଗିରଫଦାରି ସଂଖ୍ୟା ୧୧୦ ବୋଲି ଉଲ୍ଲେଖ କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ଦିୟୁରପ୍ପା ଆଜି ଆଦେଶ ଦେଇଛନ୍ତି।
ଫେସ୍ବୁକ୍ରେ ଘୃଣା ଉଦ୍ରେକକାରୀ ପୋଷ୍ଟ୍ କରିଥିବା ସମ୍ପୃକ୍ତ ଯୁବକଜଣକ ପୁଲକେଶୀ ନଗର କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ଏଥିଯୋଗୁଁ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ଡିଜେ ହାଲି ଓ କେଜି ହାଲି ଥାନା ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାୟକଙ୍କ ବାସଭବନ ଉପରେ ଟେକାପଥର ଫିଙ୍ଗିଥିଲେ। ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। କିନ୍ତୁ, ଯୁବକଜଣକ କହିଛନ୍ତି ଯେ, ସେ ଏହା ପୋଷ୍ଟ୍ କରି ନାହାନ୍ତି, ଫେସ୍ବୁକ୍ ଆକାଉଣ୍ଟ୍ ହ୍ୟାକ୍ କରାଯାଇ ଏଭଳି କରାଯାଇଛି।
/sambad/media/post_attachments/wp-content/uploads/2020/08/blore.jpg)
ପ୍ରାପ୍ତ ସୂଚନା ଅନୁସାରେ, ଉତ୍ତ୍ୟକ୍ତ ଜନତାଙ୍କ ଟେକା ଓ ବୋତଲ ମାଡ଼ରେ ୬୦ଜଣ ପୁଲିସ ଆହତ ହୋଇଛନ୍ତି। ଦଙ୍ଗା ସୃଷ୍ଟି କରିଥିବା କାରଣରୁ ୧୧୦ଜଣଙ୍କୁ ଗିରଫ କରାଯାଇଥିବା କଥା ବେଙ୍ଗାଲୁରୁ ପୁଲିସ କମିସନର୍ କମଳ ପନ୍ତ କହିଛନ୍ତି।
ହିଂସାକାଣ୍ଡ ଉପୁଜିବାରୁ ସହରର କେତେକ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ରାଜ୍ୟ ଗୃହମନ୍ତ୍ରୀ ବି ବୋମାନି କହିଛନ୍ତି ଯେ, ଆଇନକୁ କେହି ହାତକୁ ନେଇ ପାରିବେ ନାହିଁ। ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଅତିରିକ୍ତ ପୁଲିସ ବ୍ୟବସ୍ଥା କରାଯାଇଥିବା କଥା ସେ କହିଛନ୍ତି।
ସମ୍ପ୍ରତି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।