ପାଟନା: ଆଜି ସକାଳେ ବିହାର ରାଜ୍ୟର ଲଖିସରାଇ ଜିଲ୍ଲା ଅନ୍ତର୍ଗତ କବୈୟା ଥାନା ଅଞ୍ଚଳରେ ଛଟ୍ ପୂଜା ସାରି ଫେରୁଥିବା ଏକ ପରିବାର ଉପରକୁ ଗୁଳି ଚଳାଯିବାରୁ ୨ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୪ଜଣ ଆହତ ହୋଇଥିବା କଥା ପୁଲିସ କହିଛି।
୨ଜଣ ମହିଳାଙ୍କ ସମେତ ଆହତ ହୋଇଥିବା ୪ଜଣଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ପାଟନାସ୍ଥିତ ଏକ ସରକାରୀ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।
ଆହତମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା ‘ନିଉଜ୍ ଏଜେନ୍ସି’ ‘ଏଏନ୍ଆଇ’ ରିପୋର୍ଟ କରିଛି।
ଲଖିସରାଇ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ପଙ୍କଜ କୁମାର କହିଛନ୍ତି, ଘଟଣା ପ୍ରେମ ବ୍ୟାପାର ସହିତ ଜଡ଼ିତ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ଫେରାର ହୋଇଯାଇଥିବା ଅଭିଯୁକ୍ତ ହେଉଛନ୍ତି ଆଶିଷ ଚୌଧୁରୀ। ଖୁବ୍ ନିକଟରେ ଥାଇ ସେ ଉକ୍ତ ପରିବାର ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ସେ ପରିବାରର ମହିଳାମାନଙ୍କ ମଧ୍ୟରୁ ଆଶିଷ ୪/୫ ବର୍ଷ ତଳେ ଜଣକୁ ବାହା ହୋଇଥିଲେ, କିନ୍ତୁ ସେ ମହିଳା ତାଙ୍କୁ ଛାଡ଼ି ସେ ଗାଁ’ର ଆଉ ଜଣକୁ ବାହା ହୋଇଥିଲେ। ତେଣୁ, ଆଶିଷ ଭୀଷଣ ଉତ୍କ୍ଷିପ୍ତ ହୋଇଯାଇଥିଲେ। ଗୁଳି ଚୋଟରେ ସେ ମହିଳାଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପାଟନାସ୍ଥିତ ବେଗୁସରାଇ ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଛଟ୍ ପୂଜା ପାଇଁ ସେ ପାଟନାରୁ ଗାଁକୁ ଆସିଥିଲେ।
ଏହି ଘଟଣା ସଂକ୍ରାନ୍ତରେ ଜେରା ପାଇଁ ୨ଜଣଙ୍କୁ ଅଟକ ରଖାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲ ମଧ୍ୟ ଜବତ କରାଯାଇଛି ବୋଲି ପୁଲିସ କହିଛି।