୩ ନାବାଳିକା ଏକସଙ୍ଗରେ ବିଷ ଖାଇଲେ; ୨ ମୃତ, ଜଣେ ସଙ୍କଟାପନ୍ନ

ଇନ୍ଦୋର : ଇନ୍ଦୋରରେ ୩ ଜଣ ନାବାଳିକା ଗତକାଲି ଏକ ପାର୍କରେ ଖୁସି ମନାଇବା ପରେ ଭିନ୍ନ ଭିନ୍ନ କାରଣରୁ ଏକ ସଂଗରେ ବିଷ ଖାଇବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ଜଣେ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛି। ଏହି ଘଟଣା ଇନ୍ଦୋର ରାଜେନ୍ଦ୍ର ନଗର ଅଂଚଳ ସ୍ଥିତ ରିଜ୍‌ନଲ ପାର୍କରେ ଘଟିଛି।

ଜଣେ ନାବାଳିକା ତା’ର ବୟଫ୍ରେଣ୍ଡ ସହିତ ଝଗଡ଼ା କାରଣରୁ ବିଷ ଖାଇଥିବା ବେଳେ ଅନ୍ୟ ଜଣେ ନିଜ ପରିବାର ସହିତ ଝଗଡ଼ା କାରଣରୁ ବିଷ ଖାଇଥିଲା। ଦୁଇ ଜଣ ବିଷ ଖାଇବା ପରେ ତୃତୀୟ ନାବାଳିକା ଜଣକ ବି ବ୍ୟତିବ୍ୟସ୍ତ ହୋଇ ବିଷ ଖାଇ ଦେଇଥିଲା। ସେମାନଙ୍କୁ ପ୍ରାୟ ଅଧ ଘଣ୍ଟା ପରେ ଏମ୍‌ବାୟ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ତିନି ବାଳିକା ସିହୋର ଜିଲ୍ଲା ସ୍ଥିତ ଅସ୍‌ଟା ସହରର ଏବଂ ସେମାନେ ସ୍କୁଲରୁ ଗତକାଲି ଆଗୁଆ ପଳାଇ ଆସିଥିଲେ ଏବଂ ସେଠାରୁ ୧୦୦ କିମି ଦୂର ଇନ୍ଦୋରରେ ପହଞ୍ଚିଥିଲେ। ଜଣେ ନାବାଳିକା ଇନ୍ଦୋରରେ ରହୁଥିବା ନିଜ ବୟଫ୍ରେଣ୍ଡ୍‌ ସହ ଯୋଗାଯୋଗ କରିଥିଲା। ଏହାପରେ ୩ ବାଳିକା ପାର୍କରେ ବୁଲିବା ସହ କିଛି ସମୟ ଖୁସିଗପ କରିଥିଲେ, ବିଭିନ୍ନ ସ୍ଥାନରେ ସେଲ୍‌ଫି ନେଇଥିଲେ ଏବଂ ତା’ପରେ ମିଳିତ ଭାବେ ବିଷ ଖାଇଥିବା ଜଣାପଡ଼ିଛି। ସେମାନଙ୍କ ପରିବାର ସଦସ୍ୟ ଇନ୍ଦୋର ପହଞ୍ଚିଛନ୍ତି ଏବଂ ପୁଲିସ ବୟାନ ରେକର୍ଡ କରିଛି। ପାର୍କ ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ଆତ୍ମହତ୍ୟା ପୂର୍ବରୁ ଏହି ବାଳିକାମାନେ ବେଶ୍‌ ଖୁସିରେ ଥିଲେ ସେମାନଙ୍କ ଅାଚରଣରେ କୌଣସି ଅସ୍ବାଭାବିକତା ନଥିଲା।

ସମ୍ବନ୍ଧିତ ଖବର