ଦିଲ୍ଲୀର ସିଗ୍ନେଚର୍‌ ବ୍ରିଜ୍‌ ଡିଭାଇଡର୍‌ରେ ଧକ୍କା ଖାଇ ଦୁଇ ମଟରସାଇକେଲ୍‌ ଆରୋହୀ ମୃତ

ନୂଆଦିଲ୍ଲୀ: ଯମୁନା ନଦୀ ଉପରେ ଦୁଇ ସପ୍ତାହ ତଳେ ଖୋଲିଥିବା ସିଗ୍‌ନେଚର୍‌ ବ୍ରିଜ୍‌ର ଡିଭାଇଡର୍‌ରେ ଶୁକ୍ରବାର ସକାଳେ ଏକ ମଟରସାଇକେଲ୍‌ ଧକ୍କା ଖାଇବାରୁ ସେଥିରେ ବସିଥିବା ଦୁଇଜଣ ଆରୋହୀ ଛିଟିକି ପଡ଼ି ମୃତ୍ୟୁ ବରଣ କରିଛନ୍ତି।

ସେମାନେ ଦ୍ରୁତ ବେଗରେ ମଟରସାଇକେଲ୍‌ ଚଳାଇ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଡିଭାଇଡ୍‌ରେ ଧକ୍କା ଖାଇଥିଲେ।

ଆଡିସ୍‌ନାଲ୍‌ ଡିସିପି ଯଶମୀତ ସିଂହ କହନ୍ତି: ଉତ୍ତର ଦିଲ୍ଲୀ ପଟୁ ଦୁଇ ଜଣ ଲୋକ ଏକ କେଟିଏମ୍‌ ଡ୍ୟୁକ୍‌ ବାଇକ୍‌ ଚଳାଇ ତିମାରପୁର ଆଡ଼କୁ ଯାଉଥିଲେ। ସେମାନେ ଦ୍ରୁତ ଗତିରେ ଯାଉ ଯାଉ ମଞ୍ଜୁ କା ତିଲା ଆଡ଼କୁ ବୁଲି ଯିବା ବେଳେ ନିୟନ୍ତ୍ରଣ ହରାଇବାରୁ ବାଇକ୍‌ ଏକ ରୋଡ୍‌ ଡିଭାଇଡର୍‌ ସହ ଧକ୍କା ଖାଇଥିଲା। ସେମାନେ ପୋଲରୁ ୨୫ – ୩୦ ଫୁଟ୍‌ ତଳକୁ ଖସି ପଡ଼ିଥିଲେ।

ଉଭୟଙ୍କୁ ତୁରନ୍ତ ନିକଟବର୍ତ୍ତୀ ଏକ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ବଞ୍ଚା ଯାଇ ପାରି ନ ଥିଲା।

ଏ ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳିନାହିଁ।

ସେମାନେ ସେଲ୍‌ଫି ନେଉଥାଇ ପାରନ୍ତି କିଂବା ଷ୍ଟଣ୍ଟ୍‌ ଦେଖାଉ ଥାଇ ପାରନ୍ତି ବୋଲି ଅନ୍ୟ କେତେକ ରିପୋର୍ଟ ମିଳୁଥିବା ବେଳେ ସିଂହ କହିଛନ୍ତି ଯେ ଏ କଥା ଦେଖିଥିବା କୌଣସି ଲୋକ କହି ନାହାନ୍ତି।

ସମ୍ବନ୍ଧିତ ଖବର