ମୁମ୍ବାଇ: ସମ୍ପ୍ରତି ଯୁବପିଢ଼ି ବିଶେଷ କରି କଲେଜ ଛାତ୍ରଙ୍କ ମଧ୍ୟରେ ଘାତକ ସାଜିଛି ପିୟୁବିଜି ଅନ୍ଲାଇନ୍ ଗେମ୍। କିଶୋର ଓ ଯୁବକଙ୍କୁ ବାଇଆ କରିଥିବା ଏହି ଖେଳ ପାଇଁ ଆଜି ମହରାଷ୍ଟ୍ରର ୨ ଜଣ ଯୁବକଙ୍କ ଜୀବନ ଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେବା ସହ ଏହାକୁ ନିଷିଦ୍ଧ କରିବା ପାଇଁ ଦାବି ଉଠିଛି। ସୂଚନାନୁଯାୟୀ, ମହାରାଷ୍ଟ୍ରର ହିଙ୍ଗୋଳି ଜିଲ୍ଲା ସ୍ଥିତ ଖଟକଲି ବାଇପାସ୍ରେ ରବିବାର ୨୪ ବର୍ଷୀୟ ନଗେଶ ଗୋରେ ଏବଂ ୩୨ ବର୍ଷୀୟ ସ୍ବପ୍ନିଳ ଅନ୍ନପୂର୍ଣ୍ଣେ ରେଳ ଧାରଣା ନିକଟରେ ପିୟୁବିଜି ଗେମ୍ ଖେଳରେ ଏମିତି ମଜି ଯାଇଥିଲେ ଯେ ଟ୍ରେନ୍ ହର୍ଣ୍ଣ ଶବ୍ଦ ସେମାନଙ୍କ କାନରେ ପଡ଼ିନଥିଲା। ଫଳରେ ଦ୍ରୁତ ଗତିରେ ଆସୁଥିବା ହାଇଦ୍ରାବାଦ୍-ଅଜମେର ଟ୍ରେନ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକେ ବିଳମ୍ବିତ ରାତିରେ ହିଁ ସେମାନଙ୍କ ଶବକୁ ସେଠାରେ ଠାବ କରିଥିଲେ। ଏହି ଅନ୍ଲାଇନ୍ ଘାତକ ଖେଳର କୁପରିଣତି ଅନୁଭବ କରି ଏହାକୁ ଗୁଜରାଟର ରାଜକୋଟ, ଭାବନଗର ଏବଂ ଗିର ସୋମନାଥ ଆଦି ଜିଲ୍ଲାରେ ନିଷିଦ୍ଧ କରାଯାଇଥିବା ବେଳେ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବାରଣ କରିବା ଲାଗି ଦାବି ଉଠିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଥାଉ କି, ଦକ୍ଷିଣ କୋରିଆରେ ଉତ୍ପନ୍ନ ହୋଇଥିବା ଏହି ପିୟୁବିଜି (ପ୍ଲେୟର ଅନନୋନ୍’ସ ବ୍ୟାଟଲଗ୍ରାଉଣ୍ଡ୍ସ) ହେଉଛି ବହୁ ଖେଳାଳି ବିଶିଷ୍ଟ ଏକ ଅନ୍ଲାଇନ୍ ଖେଳ। ଏଥିରେ ୧୦୦ ଜଣ ଖେଳାଳି ନିଜର ଆକାଶଛତା ମାଧ୍ୟମରେ ଏକ ୮x ୮କିମି ବିଶିଷ୍ଟ ଯୁଦ୍ଧକ୍ଷେତ୍ରରେ ନିଜକୁ ସାମିଲ କରାଇଥାନ୍ତି। ସେଠାରେ ନିଜର ଅସ୍ତ୍ରଶସ୍ତ୍ର ନିଜେ ଖୋଜି ବାହାର କରିବା ସହ ନିଜକୁ ଏକ ସୁରକ୍ଷିତ ସ୍ଥାନରେ ରଖି ଶତ୍ରୁ ସହ ଯୁଦ୍ଧ ପରିଚାଳନା କରିବାକୁ ପଡ଼ିଥାଏ। ଏପରିକି ନିଜ ପସନ୍ଦର ଯାନରେ ବସି ବିଭିନ୍ନ ପ୍ରକାର ଅସ୍ତ୍ରରେ ଶତ୍ରୁକୁ ଆକ୍ରମଣ କରିବାର ମଜା ରହିଛି। ନିଜକୁ ସତସତିକା ଯୁଦ୍ଧକ୍ଷେତ୍ରରେ ଆବିର୍ଭାବ ହେବାର ନିଆରା ଅନୁଭବ ଦେଉଥିବା ଏହି ଖେଳରେ ଏତେ ରୋମାଞ୍ଚ ରହିଛି, ଜଣେ ଥରେ ଖେଳରେ ମଜିଗଲେ ସେଥିରୁ ମୁକୁଳିବା ମୁସ୍କିଲ। ଗତବର୍ଷ ମାର୍ଚ୍ଚ ମାସରେ ପ୍ରଥମ କରି ଏହା ଭାରତରେ ପଦାର୍ପଣ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହାକୁ ୨୦ କୋଟିରୁ ଅଧିକ ଥର ଡାଉନ୍ଲୋଡ୍ କରାଯାଇ ସାରିଲାଣି। ଏଥିରୁ ଏହାର ଲୋକପ୍ରିୟତା ଆଶାତୀତ ଭାବେ ଅଧିକ ବୋଲି ସ୍ପଷ୍ଟ ହୋଇଥିବା ବେଳେ ଏହାର କୁପରିଣତି ଦିଗ ପ୍ରତି ମଧ୍ୟ ବିଚାର କରିବାର ସମୟ ଆସିଛି।