ନୂଆଦିଲ୍ଲୀ: ଅକାଳରେ ଚାଲିଗଲା ୨ଡିଏସପିଙ୍କ ଜୀବନ। ଡିଭାଇଡ଼ରରେ ପିଟି ହେବାରୁ ବଞ୍ଚିବା ପାଇଁ ଚେଷ୍ଟା କରୁଥିବା ବେଳେ ଲରିରେ ଧକ୍କା ହେଲା କାର୍। କାରରେ ୪ଜଣ ଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇଥିବା ଜଣାଯାଇଛି। ଘଟଣାଟି ଘଟିଥିଲା ଶନିବାର ସକାଳେ। ଭୋର ପ୍ରାୟ ୪.୪୫ ସମୟରେ କୈଥପୁରମ ଗ୍ରାମ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। କୌଣସି କାମରେ ହାଇଦ୍ରାବାଦ ଯାଉଥିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଜଣାଯାଇଛି। ମୃତକମାନେ ହେଲେ ଚକ୍ରଧର ରାଓ ଏବଂ ଶାନ୍ତା ରାଓ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଡିଭାଇଡରରେ ଗାଡ଼ି ପିଟି ହେବାକୁ ଯାଉଥିବା ଦେଖି ଗାଡ଼ି ଚାଳକ କାରର ଷ୍ଟିଅରିଂ ବୁଲାଇ ଦେଇଥିଲେ। ଏହା ଫଳରେ ଗାଡ଼ିଟି ସାମ୍ନାରୁ ଆସୁଥିବା ଲରିରେ ପିଟି ହୋଇଥିଲା। ଅନ୍ୟ ଜଣେ କହିଛନ୍ତି ଯେ, ଡିଭାଇଡରର ବିପରୀତ ପାର୍ଶ୍ୱରେ ଯାଉଥିବା ଲରିଟି ଡିଭାଇଡର ଭାଙ୍ଗି ଅଧିକାରୀଙ୍କ କାର ସହିତ ଧକ୍କା ଖାଇଥିଲା। ଏହା ଫଳରେ ଘଟଣାସ୍ଥଳରେ ହିଁ ଚକ୍ରଧର ରାଓ ଏବଂ ଶାନ୍ତା ରାଓଙ୍କ ମୃତ୍ୟୁ ହୋଇଥିଲା।
ଏହି ଧକ୍କାରେ କାରରେ ଥିବା ଅତିରିକ୍ତ ପୁଲିସ ଅଧିକ୍ଷକ ଦୁର୍ଗା ପ୍ରସାଦ ଏବଂ ଡ୍ରାଇଭର ନରସିଂହ ରାଓ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।