ପୁଣି ଏଲଏସିରେ ପଇଁତରା ମାରିଲା ଚୀନର ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ଧରି ସାମରିକ ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ଅନେକ କମାଣ୍ଡର ସ୍ଥରୀୟ ବୈଠକ ବସି ସାରିଛି | ଏମଧ୍ୟରେ ଚୀନର ଯୁଦ୍ଧ ବିମାନ ପୁଣି ଥରେ ଏଲଏସିରେ ପଇଁତରା ମାରିବା ଆରମ୍ଭ କରିଛି | ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି |

ସୂଚନା ଅନୁସାରେ, ଚୀନର ପ୍ରାୟ ୨୧-୨୨ଟି ଯୁଦ୍ଧ ବିମାନ ମୁଖ୍ୟତଃ ଜେ-୧୧ ଏବଂ କିଛି ଜେ-୧୬ ଯୁଦ୍ଧ ବିମାନ ପୂର୍ବ ଲଦାଖର ଭାରତୀୟ ଅଞ୍ଚଳ ଉପରେ ପଇଁତରା ମାରିଥିଲା | ଚୀନର ଯୁଦ୍ଧ ବିମାନର ଏହି କାର୍ଯ୍ୟକଳାପ ହଟାନ, ଗାର ଗୁନ୍ସା ଏବଂ କାଶ୍ଗର ଏୟାରଫିଲ୍ଡ ଏୟାରବେସରୁ ହୋଇଥିଲା, ଯାହାକୁ ବିଭିନ୍ନ ପ୍ରକାରର ଯୁଦ୍ଧବିମାନର ଉପସ୍ଥିତି ଲୁଚାଇବା ପାଇଁ ତିଆରି କରାଯାଇଛି | ତେବେ ନିଜ ସୀମା ଭିତରେ ରହି ଚୀନର ଯୁଦ୍ଧ ବିମାନ ପଇଁତରା ମାରିଥିବା ଜଣାପଡିଛି |

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁନ ମାସରେ ଗଲୱାନ ଘାଟିରେ ଭାରତ ଏବଂ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ୨୦ଜଣ ଯବାନ ସହିଦ ହୋଇଥିଲେ | ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା, ଯାହା ଏବେ ପର୍ଯ୍ୟନ୍ତ ସୁଧୁରି ପାରିନାହିଁ |

ସମ୍ବନ୍ଧିତ ଖବର