ଉଡ଼ାଣ ବେଳେ ବିମାନ ବନ୍ଦରରେ ଦମକଳ ସହିତ ଧକ୍କା ଖାଇ ପୋଡ଼ିଗଲା ବିମାନ; ୨ ଅଗ୍ନିଶମ କର୍ମଚାରୀ ମୃତ

ଲିମା: ଶୁକ୍ରବାର ଦିନ ପେରୁର ରାଜଧାନୀ ଲିମାର କା‌ଲାଓସ୍ଥିତ ବିମାନ ବନ୍ଦରରେ ଉଡ଼ାଣ ଆରମ୍ଭ କରିବା ବେଳେ ରନ୍‌ୱେରେ ଥିବା ଦମକଳ ଗାଡ଼ି (ଫାୟାର୍‌ ଟ୍ରକ୍‌) ସହିତ ଧକ୍କା ଖାଇବାରୁ ‘ଲାଟାମ୍‌’ ଏୟାର୍‌ଲାଇନ୍‌ର ଗୋଟାଏ ଯାତ୍ରୀବାହୀ ଜେଟ୍‌ ବିମାନରେ ନିଆଁ ଲାଗିଯାଇଛି।

ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ରେ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ଉପରୋକ୍ତ ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ ପରିଚାରକ ସୁରକ୍ଷିତ ଅଛନ୍ତି, କିନ୍ତୁ ଦମକଳ ଗାଡ଼ିରେ ଥିବା ଦୁଇଜଣ ଅଗ୍ନିଶମ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ବିମାନରେ ୧୦୨ଜଣ ଯାତ୍ରୀ ଓ ୬ଜଣ ପରିଚାରକ ଥିଲେ।

ଦମକଳ ଗାଡ଼ି ସହିତ ଉକ୍ତ ବିମାନ ଦୁର୍ଘଟଣା ବେଳର ଦୃଶ୍ୟସମ୍ବଳିତ ‌କେତେକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଗୋଟିଏ ଭିଡିଓରେ ଦେଖାଯାଉଛି ବିମାନଟି ଅନିୟନ୍ତ୍ରିତ ଅବସ୍ଥାରେ ଧୀରେ ଧୀରେ ରନ୍‌ୱେରେ ଚାଲୁଥିବା ବେଳେ ବିପରୀତ ପଟୁ ଆସୁଥିବା ଦମକଳ ଗାଡ଼ି ସହିତ ଧକ୍କା ଖାଉଛି। ଆଉ ଗୋଟାଏ ଭିଡିଓ କ୍ଲିପ୍‌ରେ ଦେଖାଯାଉଛି ନିଆଁ ଲାଗିଯାଇଥିବା ବିମାନର ବହଳିଆ କଳାଧୂଆଁ ଉଠୁଛି।

Image Courtesy of Republic World

‘ଲାଟାମ୍‌’ ପେରୁ କହିବା ଅନୁସାରେ, ଲିମା-ଜୁଲିଆକା ମଧ୍ୟରେ ଯାତାୟାତ କରୁଥିବା ‘ଏଲ୍‌ଏ ୨୨୧୩’ ବିମାନ ଲିମାର ‘ଜର୍ଜ ସାଭେଜ୍‌ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଉଡ଼ାଣ ଆରମ୍ଭ କରିବା ବ‌େଳେ ରନ୍‌ୱେକୁ ପଶି ଆସିଥିବା ଦମକଳ ସହିତ ଧକ୍କା ଖାଉଛି। ଦୁର୍ଘଟଣା ପରେ ପରେ ତୁରନ୍ତ ଉକ୍ତ ଯାତ୍ରୀବାହୀ ବିମାନକୁ ଅବତରଣ କରାଇ ଦିଆଯାଇଥିଲା। ଉଦ୍ଧାର କାର୍ଯ୍ୟ ନିମନ୍ତେ ‘ଏମର୍ଜେନ୍‌ସି ସର୍ଭିସ୍‌’ ତୁରନ୍ତ ସେଠାକୁ ଧାଇଁ ଯାଇଥି‌ଲା। ଅପରାହ୍ଣ ୩.୨୫ରେ ଏହି ଦୁର୍ଘଟଣା ଘଟିଥିବା ‌ରିପୋର୍ଟ କରାଯାଇଛି।

ପେରୁର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଗୋଟାଏ କ୍ଲିନିକ୍‌ରେ ଚିକିତ୍ସାଧୀନ ଥିବା ୨୦ଜଣ ଯାତ୍ରୀଙ୍କ ମଧ୍ୟରୁ ଅନ୍ୟୂନ ୨ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ଆଉ ୬୧ଜଣ ଯାତ୍ରୀଙ୍କୁ ‘ଜର୍ଜ ସାଭେଜ୍‌ ଆନ୍ତର୍ଜାତିକ ବିମାନ ବନ୍ଦର’ରୁ ନିକଟବର୍ତ୍ତୀ କ୍ଲିନିକ୍‌ ଓ ଡାକ୍ତରଖାନାମାନଙ୍କୁ ନିଆଯାଇଛି। କିନ୍ତୁ, ସେମାନଙ୍କୁ ଆହତ କିଂବା ଆଗୁଆ ସତର୍କତା ନିମନ୍ତେ ନିଆଯାଇଛି ତାହା ଜଣାପଡ଼ିନାହିଁ।

ପେରୁର ରାଷ୍ଟ୍ରପତି ପେଡ୍ରୋ କ୍ୟାଷ୍ଟିଲୋ ୨ ମୃତ ଅଗ୍ନିଶମ କର୍ମଚାରୀଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଦୁର୍ଘଟଣା ସଂକ୍ରାନ୍ତରେ ତଦନ୍ତ ଚାଲିଥିବା କଥା ଏୟାର୍‌ଲାଇନ୍‌ ସୂଚନା ଦେଇଛି।

ସମ୍ବନ୍ଧିତ ଖବର