ନୂଆଦିଲ୍ଲୀ: ଦିଲ୍ଲୀରେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଏଲ୍‌ଇଟି (ଲସ୍କର ଏ ତୋଏବା)ର ସମ୍ଭାବ୍ୟ ଆକ୍ରମଣ ନେଇ ସୁରକ୍ଷା ସଂସ୍ଥାମା‌ନେ ସତର୍କ କରାଇଥିବା ବେଳେ ଆଜି ପଞ୍ଜାବ ଏବଂ କାଶ୍ମୀରରୁ ଶକ୍ତିଶାଳୀ ଆଇଇଡି ଜବତ ହେବା ହଇଚଇ ସୃଷ୍ଟି କରିଛି। ପଞ୍ଜାବରେ ଶୁକ୍ରବାର ଦିନ ଅମୃତସରରେ ରୟା ଥାନା ନିକଟରୁ ଏକ ସନ୍ଦେହଜନକ ବ୍ୟାଗ୍‌ରୁ ଏକ ଆଇଇଡି ମିଳିଥିଲା। ତୁରନ୍ତ ଏକ ବୋମା ନିଷ୍ଟ୍ରିୟକାରୀ ଦଳ ଡକାଯାଇଥିଲା ଏବଂ ସେମାନେ ଏହାକୁ ନିଷ୍କ୍ରିୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। 

Advertisment

ପ୍ରୋଟକଲ୍‌ ଅନୁଯାୟୀ ଏହାକୁ ନିଷ୍କ୍ରିୟ କରାଯାଇଛି ବୋଲି ଏସଏସପି ସୋହେଲ କ୍ବାସିମ ମୀର କହିଛନ୍ତି। ଅନ୍ୟପକ୍ଷରେ କାଶ୍ମୀରର ଗନ୍ଦେରବଲ ଜିଲ୍ଲାର ସାଫା‌ପୁରାରେ ଅନ୍ୟ ଏକ ଆଇଇଡି ମିଳିଛି। ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସର ବୋମା ନିଷ୍କ୍ରିୟକାରୀ ଦଳ ଆଇଇଡିକୁ ଚିହ୍ନଟ କରିବାପରେ ଏହାକୁ ନିଷ୍କ୍ରିୟ କରିଥିଲେ। ଗତ କିଛି ଦିନ ମଧ୍ୟରେ କାଶ୍ମୀର ଘାଟିରେ ଏହା ହେଉଛି ତୃତୀୟ ଥର ପାଇଁ ବିସ୍ଫୋରକ ଉଦ୍ଧାର ହେବାର ଘଟଣା। ଏହା ପୂର୍ବରୁ ଶ୍ରୀନଗର-ବାରାମୁଲା ଜାତୀୟ ରାଜପଥରେ ମଧ୍ୟ ସମାନ ଧରଣର ବିସ୍ଫୋରକ ଜବତ କରାଯାଇଥିଲା। ସେନା ଏବଂ ପୁଲିସର କହିବା ଅନୁଯାୟୀ, ସୁରକ୍ଷା ବଳର କନ୍ଭ‌ୟକୁ ଟାର୍ଗେଟ୍ କରିବା ପାଇଁ ଆତଙ୍କବାଦୀମାନେ ଏହି ବିସ୍ଫୋରକ ରଖିଥିଲେ। ବର୍ତ୍ତମାନ ସମଗ୍ର ଅଞ୍ଚଳରେ ହାଇ-ଆଲର୍ଟ ଜାରି କରାଯାଇଛି ଏବଂ ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ପାକ୍‌ ଆତଙ୍କୀ ହାଫିଜ ସୟିଦର ଆତଙ୍କବାଦୀ ଗୋଷ୍ଠୀ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଆକ୍ରମଣ ଯୋଜନା କରୁଥିବା ଜଣାପଡ଼ିବା ପରେ ସୁରକ୍ଷା ବାହିନୀ ହାଇଆଲର୍ଟରେ ରହିଛି।