ଟରଣ୍ଟୋ: ଶନିବାର ରାତିରେ କାନାଡାର କ୍ୟୁବେକ୍ ସହରରେ ମଧ୍ୟଯୁଗୀୟ ବେଶପୋଷାକ ପିନ୍ଧା ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଛୁରାଘାତରେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟୂନ ପାଞ୍ଚଜଣ ଆହତ ହୋଇଛନ୍ତି।
୨୦ ବର୍ଷରୁ ଅଧିକ ବୟସ୍କ ସେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସ୍ଥାନୀୟ ଆଇନଶୃଙ୍ଖଳା ଅଧିକାରୀମାନେ ରାତି ପ୍ରାୟ ୧ଟା ବେଳେ ହାଜତକୁ ନେଇଛନ୍ତି। ତଦନ୍ତ ଚାଲିଥିବାରୁ ସହରବାସୀ ଘରେ କବାଟ ବନ୍ଦ କରି ରୁହନ୍ତୁ ବୋଲି ପୁଲିସ ଟୁଇଟ୍ କରି ଜଣାଇଛି।
/sambad/media/post_attachments/wp-content/uploads/2020/11/qu.jpg)
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସହରର ସାଟୋ ଫେଣ୍ଟେନାଚ୍ ନିକଟ ରିଉ ଡି ରାମ୍ପାର୍ଟସ୍ରେ ଛୁରାମାଡ଼ ଘଟଣାଟି ଘଟିଛି। ଆକ୍ରମଣର ସମ୍ଭାବ୍ୟ କାରଣ ସମ୍ପର୍କରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଖବର ଆସିନାହିଁ। ଗତ ଅଳ୍ପ କିଛି ସପ୍ତାହ ତଳେ ଫ୍ରାନ୍ସ୍ରେ ହୋଇଥିବା ଇସ୍ଲାମୀୟ ଉଗ୍ରବାଦୀଙ୍କ ଆକ୍ରମଣ ସହ ଏହି ଛୁରାମାଡ଼ ଘଟଣାର ସାମଞ୍ଜସ୍ୟ ଥିବା କଥା ଅନୁମାନ କରାଯାଉଛି। ଏହାଛଡ଼ା, ଆକ୍ରମଣ ବିରୋଧରେ ଫ୍ରାନ୍ସ୍କୁ କେତେକ କ୍ୟୁବେକ୍ବାସୀ ମଧ୍ୟ ସମର୍ଥନ ଜଣାଇବାକୁ ଆଗେଇ ଆସିଥିଲେ।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, କ୍ୟୁବେକ୍ ହେଉଛି ପୂର୍ବ କାନାଡାର ଫରାସୀ ଭାଷାଭାଷୀ ଜନବହୁଳ ଅଞ୍ଚଳ। ଘଟଣାଟି କ୍ୟୁବେକ୍ର ପାର୍ଲାମେଣ୍ଟ୍ ହିଲ୍ ଅଞ୍ଚଳରେ ଘଟିଥିବାରୁ ସେଠାରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି।