ଇମ୍ଫାଲ୍‌: ମଙ୍ଗଳବାର ଦିନ ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ନରଣସୈନାରେ ଭୀଷଣ ଗୁଳିକାଣ୍ଡ ଯୋଗୁଁ ଜଣେ ୩୦ ବର୍ଷିୟ ‘ଗ୍ରାମ ପ୍ରତିରକ୍ଷା ସ୍ବେଚ୍ଛାସେବୀ’ଙ୍କ ସମେତ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୭ଜଣ ଆହତ ହୋଇଥିବା ଆସାମ ପୁଲିସ କହିଛି।

Advertisment

ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଉଲ୍ଲେଖ ଅଛି, ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାନ୍ତ ଅଞ୍ଚଳ ସଂଲଗ୍ନ ନରଣସୈନାରେ ‌ବିଲରେ କାମ କରୁଥିବା କିଛି କୃଷକମାନଙ୍କ ଉପରକୁ କେତେକ ଅଜ୍ଞାତ ଆକ୍ରମଣକାରୀ ଗୁଳି ଚଳାଇଥିଲେ।

ମୃତ୍ୟୁବରଣ କରିଥିବା ପ୍ରଥମ ବ୍ୟକ୍ତିଜଣକ ହେଉଛନ୍ତି ୩୦ ବର୍ଷିୟ ‘ଗ୍ରାମ ପ୍ରତିରକ୍ଷା ସ୍ବେଚ୍ଛାସେବୀ’ ଜାଙ୍ଗମିନ୍‌ଲେନ୍‌ ଗାଙ୍ଗ୍‌ଟେ।

publive-image Image Courtesy of Times of India

ସେହିପରି, ମଙ୍ଗଳବାର ସକାଳେ ଅନ୍ୟ ଏକ ଘଟଣାରେ ଗୁଳି ଚୋଟରେ ଆହତ ହୋଇ ଇମ୍ଫାଲ୍‌ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଆଉ ଜଣେ ହେଉଛନ୍ତି ଲାଇବୁଜାମ୍‌ ଇନାଓ।

ଏହାଛଡ଼ା, ବିଷ୍ଣୁପୁରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଗୁଳିକାଣ୍ଡ ଘଟିଥିବା କଥା ନିରାପତ୍ତା ଅଧିକାରୀମାନେ କହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ମୁତୟନ କରାଯାଇଥିବା ଜିଲ୍ଲା ପୁଲିସ, ଆସାମ ରାଇଫଲସ୍‌, ସେନା ଓ କେନ୍ଦ୍ରୀୟ ବଳ ତୁରନ୍ତ ହସ୍ତକ୍ଷେପ କରିବା ଫଳରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ଏହି ସଦ୍ୟ ହିଂସାରେ ଘଟିଥିବା ଗୁଳିକାଣ୍ଡରେ ଆଉ ୭ଜଣ ଆହତ ହୋଇଥିବା କଥା ମଧ୍ୟ ପୁଲିସ କହିଛି। ସେମାନଙ୍କ ମଧ୍ୟରୁ ସଲାମ ଜତିନ୍‌ ନାମରେ ଜଣେ ୪୦ ବର୍ଷିୟ କୃଷକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଛାତିରେ ଗୁଳି ଚୋଟ ଲାଗିଛି ଓ ସେ ଇମ୍ଫାଲ୍‌ସ୍ଥିତ ଏକ ‌ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି।

ସୂଚନାଯୋଗ୍ୟ, ମେ ମାସରୁ ଆରମ୍ଭ ହୋଇଥିବା ମଣିପୁର ହିଂସାକାଣ୍ଡରେ ଏଯାବତ୍‌ ସମୁଦାୟ ୧୪୦ରୁ ଅଧିକ ବ୍ୟକ୍ତଙ୍କର ମୃତ୍ୟୁ ଘଟିଲାଣି।