କରୁଣାନିଧିଙ୍କ ଶେଷ ଦର୍ଶନ ବେଳେ ଦଳାଚକଟାରେ ୨ ମୃତ, ୪୪ ଗୁରୁତର: ଭିଡ଼ରେ ନିଜ ପିଲାଙ୍କୁ ହଜାଇ କାନ୍ଦୁଛନ୍ତି ବାପା-ମା’

ରାଜାଜୀ ହଲ୍‌ରୁ ଅପରାହ୍ନ ୪ଟାରେ ଆରମ୍ଭ ହେବ ଶେଷ ଯାତ୍ରା

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମେ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କର ମଙ୍ଗଳବାର ସଂଧ୍ୟାରେ କାବେରୀ ହସ୍ପିଟାଲ୍‌ରେ ପରଲୋକ ହେବା ପରେ ସମଗ୍ର ରାଜ୍ୟରେ ଶୋକାକୁଳ ପରିସ୍ଥିିତି ଉପୁଜିଛି। ଆଜି ଅପରାହ୍ନରେ କରୁଣାନିଧିଙ୍କର ଚେନ୍ନାଇସ୍ଥିତ ମେରିନା ବିଚ୍‌ରେ ଶେଷକୃତ୍ୟ ସଂପନ୍ନ କରାଯିବ। ଗତକାଲି ତାଙ୍କର ମୃତ୍ୟୁପରେ ତାଙ୍କ ମରଶରୀରକୁ କାବେରୀ ହସ୍ପିଟାଲ୍‌ରୁ ରାଜାଜୀ ହଲ୍‌କୁ ନିଆଯାଇଥିଲା। ଆଜି ରାଜାଜୀ ହଲ୍‌ରେ କରୁଣାନିଧିଙ୍କ ଶେଷ ଦର୍ଶନ ସମୟରେ ସେଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭିଡ ଅସମ୍ଭାଳ .ହୋଇ ଦଳା ଚକଟାରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୪୪ ଜଣ ଗୁରୁତର ଆହତ ହୋଇଛନ୍ତି।

କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସକାଶେ ବହୁ ବିଶିଷ୍ଟ ବ୍ୟକ୍ତି ରାଜାଜୀ ହଲ୍‌ଠାରେ ଉପସ୍ଥିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେଠାରେ ପହଞ୍ଚି କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରିଛନ୍ତି। କରୁଣାନିଧିଙ୍କ ପରଲୋକରେ ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି।

କରୁଣାନିଧିଙ୍କ ନିଧନ ଜନିତ  ଶୋକରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ଦେଢ଼ଲକ୍ଷ ଲୋକ ଭିଡ଼ ଜମାଇଥିବା ସୂଚନା ରହିଛି। ସେମାନଙ୍କୁ ଆୟତ୍ତ କରିବା ପାଇଁ ପୁଲିସ୍‌ ଲାଠି ଚାର୍ଜ  କରିଛି। ଏପରିକି ଭିଡ଼ ଭିତରେ କେତେ ବାପାମାଆଙ୍କର ପିଲା ହଜି ଯାଇଥିବା ବେଳେ ସେମାନେ ରାଜାଜୀ ହଲ୍‌ର ମାଇକ୍ରୋଫୋନ୍‌ରେ ନିଜ ପିଲାଙ୍କ ନାମ ଘୋଷଣା କରୁଛନ୍ତି। ଡିଏମ୍‌କେ ସୁପ୍ରିମୋଙ୍କ ସମର୍ଥକ ଓ ପିଲାଙ୍କୁ ହରାଇ ବାପାମାଆଙ୍କ କାନ୍ଦ ସ୍ୱରରେ ସମଗ୍ର ଅଞ୍ଚଳ ପାଲଟିଛି ଶୋକାକୁଳ।

ଅପରାହ୍ନ ୪ଟାରେ କରୁଣାନିଧିଙ୍କର ରାଜାଜୀ ହଲ୍‌ଠାରୁ ଶେଷ ଯାତ୍ରା ଅରମ୍ଭ ହେବ। ଡିଏମେ୍‌କ ଦଳ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ ହୋଇଛି।

ଉଲ୍ଲେଖଯୋଗ୍ୟ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମେ୍‌କ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଥିବାରୁ ତାଙ୍କୁ ଜୁଲାଇ ୨୮ ତାରିଖଠାରୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା। ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବାରୁ ତାଙ୍କର ସମର୍ଥକମାନେ ହସ୍ପିଟାଲ ବାହାରେ ଭିଡ଼ ଜମାଇଥିଲେ। ଶେଷରେ ସଂଧ୍ୟାରେ ୬ଟା ୧୦ ସମୟରେ ୯୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର