୨ ଲକ୍ଷ କୋଟିର ରପ୍ତାନି ଅଭିଳାଷ

ନୂଆଦିଲ୍ଲୀ: ବୈଦେଶିକ ବାଣିଜ୍ୟ ନୀତି ଘୋଷଣା କରିବାର ପରମ୍ପରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବଦଳାଇଛନ୍ତି। ସାଧାରଣତଃ ୫ ବର୍ଷକୁ ଦୃଷ୍ଟିରେ ରଖି ଏହି ନୀତି ଘୋଷଣା କରିବାର ପରମ୍ପରା ଥିଲା। ତାହାକୁ ବଦଳାଇ ଏଥର ଘୋଷଣା କରାଯାଇଥିବା ନୀତିରେ କୌଣସି ସମୟ ସୀମା ନିର୍ଧାରଣ କରାଯାଇନାହିଁ। ସରକାର ଯେତେବେଳେ ଚାହିବେ ଏହି ନୀତିରେ ପରିବର୍ତ୍ତନ କରିପାରିବେ ବୋଲି ବୈଦେଶିକ ବ୍ୟାପାର ମହାନିର୍ଦେଶକ (ଡିଜିଏଫ୍‌ଟି) ସନ୍ତୋଷ ଷଡ଼ଙ୍ଗୀ କହିଛନ୍ତି। ୨୦୩୦ ସୁଦ୍ଧା ୨ ଲକ୍ଷ ‌କୋଟି ଡଲାରର ରପ୍ତାନି କରିବାକୁ ସରକାର ଏଥିରେ ମହତ୍ବକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ନୂଆ ନୀତିରେ ଭାରତୀୟ ଟଙ୍କାକୁ ବିଶ୍ବସ୍ତରୀୟ ମୁଦ୍ରା ଭାବେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଟଙ୍କାରେ ଆନ୍ତର୍ଜାତିକ କାରବାରର ଫଇସଲା କରିବାର ଯୋଜନା ରହିଛି।

ବଦଳିଲା ୫ ବର୍ଷିଆ ପରମ୍ପରା
ଟଙ୍କା ହେବ ବିଶ୍ବସ୍ତରୀୟ ମୁଦ୍ରା
ନୂଆ ବୈଦେଶିକ ବାଣିଜ୍ୟ ନୀତି

ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ବୈଦେଶିକ ବାଣିଜ୍ୟ ନୀତି ୨୦୨୩କୁ ଉନ୍ମୋଚନ କରିଥିଲେ। ଏହି ନୀତି ଆସନ୍ତାକାଲିଠାରୁ ଲାଗୁ ହେବ। ଡିଜିଏଫ୍‌ଡି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶର ମୋଟ ରପ୍ତାନି ୭୭,୦୦୦ କୋଟି ଡଲାର ରହିବ ଯାହା ୨୦୨୧-୨୨ର ୬୭,୬୦୦ କୋଟି ଡଲାର ରପ୍ତାନିଠାରୁ ଅଧିକ। ୨୦୧୫ଠାରୁ ଲାଗୁ ହୋଇଥିବା ୫ ବର୍ଷିଆ ବାଣିଜ୍ୟ ନୀତି ଏବେ ପର୍ଯ୍ୟନ୍ତ ବଳବତ୍ତର ଥିଲା। କରୋନା ମହାମାରୀ ବ୍ୟାପିବା ପରେ ସରକାର ତାହାର ଅବଧିକୁ ବଢ଼ାଉଥିଲେ। ପୂର୍ବରୁ ଦେଶରେ ୩୯ଟି ସହରକୁ ରପ୍ତାନି ଉତ୍କର୍ଷ ସହର ଭାବେ ଚିହ୍ନଟ କରାଯାଇଥିଲା। ନୂଆ ନୀତିରେ ସେହି ତାଲିକାରେ ଫରିଦାବାଦ, ମୋରାଦାବାଦ, ମିର୍ଜାପୁର ଓ ବାରାଣାସୀ ନାମକୁ ଯୋଡ଼ାଯାଇଛି। ୨୦୩୦ ସୁଦ୍ଧା ଇ-କମର୍ସ ରପ୍ତାନି ୩୦,୦୦୦ କୋଟି ଡଲାର ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର