ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ସଂକ୍ରମଣ ସଂଖ୍ୟା ୨ ଲକ୍ଷ ନିକଟତର ହୋଇଛି। ୨୪ ଘଣ୍ଟାରେ ୧,୯୪,୭୨୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ଠାରୁ ଆଜି ଅଧିକ ୨୬,୬୫୭ ନୂଆ ମାମଲା ଚିହ୍ନଟ ହୋଇଛି। ଅର୍ଥାତ୍ ଦୈନିକ ସଂକ୍ରମଣ ୧୫.୮ ପ୍ରତିଶତ ବୃଦ୍ଧି ଘଟିଛି। ସେହିଭଳି ଗତ ୨୪ ଘଣ୍ଟାରେ ୪୪୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଅନ୍ୟ ଏକ ଚିନ୍ତାଜନକ ବିଷୟ ହେଲା ଦେଶରେ ପଜିଟିଭ ହାର ବଢ଼ିବା। ଦେଶରେ ଦୈନିକ ପଜିଟିଭ୍ ହାର ୧୧.୦୫ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ୍ ୧୦୦ ନମୁନା ପରୀକ୍ଷାରେ ୧୧.୦୫ ଜଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ସେହିଭଳି ସାପ୍ତାହିକ ପଜିଟିଭ୍ ହାର ୯.୮୨ ପ୍ରତିଶତକୁ ବୃଦ୍ଧି ପାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଦେଶରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୬୮କୁ ବୃଦ୍ଧି ପାଇଛି। ଆଜି ବି ଦେଶରେ ୪୦୦ରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାର ଏହି ନୂଆ ପ୍ରଜାତିରେ ମହାରାଷ୍ଟ୍ରରେ ସର୍ବାଧିକ ୧୨୮୧ ଆକ୍ରାନ୍ତ ହୋଇଛନ୍ତି। ଏହା ପଛକୁ ରାଜସ୍ଥାନରେ ୬୪୫ ଜଣ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି। ଦେଶରେ ଏବେ ସକ୍ରିୟ ମାମଲା ୯,୫୫,୩୧୯କୁ ବୃଦ୍ଧି ପାଇଛି। ଗତକାଲି ତୁଳନାରେ ସକ୍ରିୟ ମାମଲାରେ ୧,୩୩,୮୭୩ ବୃଦ୍ଧି ହେବା ସହିତ ୨୧୧ ଦିନର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୨.୬୫ ପ୍ରତିଶତ ରହିଛି। ଅନ୍ୟପକ୍ଷେ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୪,୮୪,୬୫୫କୁ ବଢ଼ିଛି। ଇତି ମଧ୍ୟରେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୬୦,୭୦,୫୧୦ ଛୁଇଁଛି। ଗତ ୨୪ ଘଣ୍ଟାରେ ୬୦,୪୦୫ ଜଣ କରୋନାରୁ ସୁସ୍ଥ ହେବା ସହ ଦେଶରେ ଆରୋଗ୍ୟ ହାର ୯୬.୦୧ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩,୪୬,୩୦,୫୩୬ରେ ପହଞ୍ଚିଛି। ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୫ ଜଣ ସୁସ୍ଥ ହୋଇଛନ୍ତି।
ରାଜ୍ୟଗୁଡ଼ିକୁ କେନ୍ଦ୍ରର ଚିଠି: ଅତିକମ୍ରେ ୪୮ ଘଣ୍ଟା ପାଇଁ ଅକ୍ସିଜେନ୍ ମହଜୁଦ ରଖ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ପାଣ୍ଡେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଗତକାଲି ଏକ ଚିଠି ଲେଖିଛନ୍ତି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଏବଂ ସଚିବମାନଙ୍କୁ ଲେଖାଯାଇଥିବା ଏହି ଚିଠିରେ ଲିକ୍ବିଡ ମେଡିକାଲ ଅକ୍ସିଜେନକୁ ଅତିକମ୍ରେ ୪୮ ଘଣ୍ଟା ପାଇଁ ମହଜୁଦ ରଖିବା ଲାଗି ପରାମର୍ଶ ଦିଆଯାଇଛି। ଏଥିସହିତ ଅକ୍ସିଜେନ ଭଣ୍ଡାରଗୁଡ଼ିକୁ ଭର୍ତ୍ତି କରିବା ପାଇଁ ଯୋଗାଣ ଶୃଙ୍ଖଳ ଯେଭଳି ସଂପୂର୍ଣ୍ଣ ଭାବେ ବାଧାରହିତ ରହିବ ତାହା ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି। ଚିଠିରେ ରାଜ୍ୟଗୁଡ଼ିକୁ ଦିଆଯାଇଥିବା ଅନ୍ୟ ପରାମର୍ଶ ମଧ୍ୟରେ ଅକ୍ସିଜେନ ନିୟନ୍ତ୍ରଣ କକ୍ଷ ଓ ପ୍ରେସର ସ୍ବିଙ୍ଗ୍ ଆବସର୍ପସନ (ପିଏସଏ) ପ୍ଲାଣ୍ଟକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିବା ସହିତ ଅକ୍ସିଜେନ ସିଲିଣ୍ଡର ଏବଂ ଅକ୍ସିଜେନ କନସେନଣ୍ଟ୍ରେଟର ଆଦିର ପର୍ଯ୍ୟାପ୍ତ ଉପଲବ୍ଧତାକୁ ନିଶ୍ଚିତ କରିବା ଆଦି ରହିଛି। ଜୀବନ ରକ୍ଷାକାରୀ ଉପକରଣର ଉପଲବ୍ଧତା ସହିତ ପର୍ଯ୍ୟାପ୍ତ ସଂଖ୍ୟକ ତାଲିମପ୍ରାପ୍ତ ମାନବ ସମ୍ବଳ ରଖିବା ଏବଂ ଅକ୍ସିଜେନ ଚିକିତ୍ସା ସୁବିଧା ଥିବା ଘରୋଇ ହସ୍ପିଟାଲ ସହିତ ଯୋଗାଯୋଗ ରଖିବା ପାଇଁ ରାଜ୍ୟ ଏବଂ ଜିଲ୍ଲାସ୍ତରର ପ୍ରଶାସନଗୁଡ଼ିକୁ ଏଥିରେ ପରାମର୍ଶ ଦିଆଯାଇଛି।