ସେନାମୁଖ୍ୟଙ୍କ ‘କୋର୍ଟ ଅଫ୍‌ ଇନ୍‌କ୍ୱାରି’ ଆଦେଶ ପରେ ଅଭିଯୋଗ ପ୍ରତ୍ୟାହାର କଲେ ଦୁଇ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌

ନୂଆଦିଲ୍ଲୀ: ପରସ୍ପର ମଧ୍ୟରେ ଭୀଷଣ ତିକ୍ତତା ଥିବା ଦୁଇଜଣ ଶୀର୍ଷସ୍ତରୀୟ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ଙ୍କ ଆବେଦନ ଭିତ୍ତିରେ ତଦନ୍ତ ଲାଗି ସେନାମୁଖ୍ୟ ‘କୋର୍ଟ ଅଫ୍‌ ଇନ୍‌କ୍ୱାରି’ ନିମନ୍ତେ ଆଦେଶ ଦେବା ପରେ ସେମାନେ ନିଜ ନିଜର ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି।

ଏହି ଦୁଇ ଜେନେରାଲ୍‌ ହେଉଛନ୍ତି ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଯବାନ ଥିବା ଏବଂ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଥିବା ଜୟପୁରର ‘ସାଉଥ୍‌ େଓ୍ଵଷ୍ଟର୍ଣ୍ଣ କମାଣ୍ଡ୍‌’ର ମୁଖ୍ୟ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ଆଲୋକ କ୍ଲେର୍‌ ଏବଂ ତାଙ୍କର ସେକେଣ୍ଡ୍‌-ଇନ୍‌-କମାଣ୍ଡ୍‌, ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ କେ କେ ରେପ୍ସଓ୍ଵାଲ୍‌। ମଙ୍ଗଳବାର ଦିନ ସେମାନେ ପରସ୍ପର ବିରୋଧରେ ଦେଇଥିବା ଅଭିଯୋଗ ପତ୍ର ପ୍ରତ୍ୟାହାର କରିନେଇଛନ୍ତି।

Image Courtesy of Wikipedia

କିନ୍ତୁ, ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଅଳ୍ପ ଦିନ ମଧ୍ୟରେ ସମ୍ପୃକ୍ତ କର୍ଣ୍ଣେଲ୍‌ମାନଙ୍କ ଉଚ୍ଚତର କର୍ତ୍ତୃପକ୍ଷ ରିପୋର୍ଟ ଦାଖଲ କରିବା ପରେ ସେନାମୁଖ୍ୟ ଜେନେରାଲ୍‌ ଏମ୍‌ ଏମ୍‌ ନରଓ୍ଵଣେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ। ଏହି ବରିଷ୍ଠ କର୍ତ୍ତୃପକ୍ଷ ହେଉଛନ୍ତି, ଲକ୍ଷ୍ନୌସ୍ଥିତ ସେଣ୍ଟ୍ରାଲ୍‌ କମାଣ୍ଡ୍‌ର ମୁଖ୍ୟ ଲେଫ୍‌ଟନାଣ୍ଟ୍‌ ଜେନେରାଲ୍‌ ଆଇ ଏସ୍‌ ଗୁମାନ।

ପ୍ରଶାସନିକ କୋହଳ ଏବଂ କେତେକ କ୍ଷେତ୍ରରେ ପ୍ରମୁଖ କାର୍ଯ୍ୟନିର୍ବାହରେ ସମସ୍ୟା ଏବଂ କ୍ଷମତାର ଅପବ୍ୟବହାର ହେଉଛି ଏହି ସାଙ୍ଘାତିକ ଅଭିଯୋଗ ଓ ପ୍ରତିଅଭିଯୋଗର କାରଣ ବୋଲି ସମ୍ପୃକ୍ତ ସୂତ୍ରରୁ ଜଣାପଡ଼ିଛି।

ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ କ୍ଲେର୍‌ ଆସନ୍ତା ମାର୍ଚ ୩୧ରେ ଅବସର ଗ୍ରହଣ କରୁଥିବା ବେଳେ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ରେପ୍ସଓ୍ଵାଲ୍‌ଙ୍କୁ କୋଲକାତାସ୍ଥିତ ଇଷ୍ଟର୍ଣ୍ଣ କମାଣ୍ଡ୍‌କୁ ବଦଳି କରାଯାଇଛି। ଉଭୟ ସମ୍ଭାନ୍ତ ପରିବାରର ସଦସ୍ୟ ଏବଂ ସେମାନଙ୍କର ଆତ୍ମୀୟମାନେ ସେନା ଓ ବାୟୁସେନାର ଶୀର୍ଷ ପଦବୀରେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର