ଶ୍ରୀନଗର: ପୁଣି ଅଶାନ୍ତ ଜମ୍ମୁ କାଶ୍ମୀର। ଦୀପାବଳି ପରେ ପରେ ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ବୁଧଗାମରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ । ଶେଷ ଖବର ଅନୁଯାୟୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜେଭିସି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଆହତଙ୍କ ନାମ ଉସମାନ ଏବଂ ସଞ୍ଜୟ। ସେମାନେ ଉଭୟ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି ।
ଦୁହେଁ ଜଳ ଜୀବନ ମିଶନ ଅଧୀନରେ ଚାଲିଥିବା ଏକ ପ୍ରୋଜେକ୍ଟରେ ଶ୍ରମିକ ଭାବେ କାମ କରୁଥିଲେ। ପୂର୍ବରୁ ମଧ୍ୟ ଘାଟିରେ ଶ୍ରମିକଙ୍କୁ ଆକ୍ରମଣ କରାଯାଇଛି । ପାକିସ୍ତାନର ଲସ୍କର-ଏ-ତୋଏବା ଏହି ଘଟଣା ଘଟାଇଥିବା ଦାବି କରାଯାଇଛି । ଏହି ଆକ୍ରମଣରେ ସଂପୃକ୍ତ ଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଦକ୍ଷିଣ କାଶ୍ମୀର ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣେ ପାକିସ୍ତାନରୁ ଆସିଥିବା କୁହାଯାଉଛି ।
ଗତ ୧୨ ଦିନ ମଧ୍ୟରେ ଏହା ହେଉଛି ଦ୍ବିତୀୟ ଆକ୍ରମଣ। ଏକ ଅଜଣା ବ୍ୟକ୍ତିଙ୍କଠାରୁ ଖବର ପାଇବା ପରେ ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି।