ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ନିମନ୍ତେ ହଜାର ହଜାର ଗଣ୍ୟମାନ୍ୟ ବ୍ୟକ୍ତି ଓ ମନ୍ତ୍ରୀ ପରିଷଦ୍ କାର୍ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ମନ୍ତ୍ରୀ ବାରି ହୋଇ ପଡ଼ିଥିଲେ।
ସେମାନେ ହେଲେ ବିଜେପିର ମନସୁଖ ଲାଲ୍ ମାଣ୍ଡବିୟ ଏବଂ ଅର୍ଜୁନ ରାମ ମେଘଓ୍ଵାଲ୍। ଶପଥ ଗ୍ରହଣ ଉତ୍ସବକୁ ସେମାନେ ଘରୁ ସାଇକେଲ୍ ଚଢ଼ି ଆସିଥିଲେ।
ଗତ ପାଞ୍ଚ ବର୍ଷ ହେବ ପାର୍ଲାମେଣ୍ଟ୍କୁ ସାଇକେଲ୍ ଚଳାଇ ଆସୁଥିବା ୪୬ ବର୍ଷିୟ ମାଣ୍ଡବିୟଙ୍କ କ୍ଷେତ୍ରରେ ଏହା ଥିଲା ସ୍ୱାଭାବିକ। ଏ କଥା ପଚରା ଯିବାରୁ ସେ କହିଲେ, ସାଇକେଲ୍ ଚଳାଇବା ଫେସନ୍ ନୁହେଁ। ମୋର ଆବେଗ।
ଭାବନଗର ଜିଲ୍ଲାର ସୌରାଷ୍ଟ୍ର ଅନ୍ତର୍ଗତ ପାଲିତନା ତହସିଲ୍ ଅଞ୍ଚଳର ଛୋଟିଆ ଗାଁ ହାନୋଲ୍ର ଜଣେ କୃଷକର ପୁତ୍ର ଭାବେ ଜନ୍ମିଥିବା ମାଣ୍ଡବିୟ ୨୦୦୨ରେ ମାତ୍ର ୨୫ ବର୍ଷ ବୟସରେ ଗୁଜରାଟର ସର୍ବକନିଷ୍ଠ ବିଧାୟକ ହୋଇଥିଲେ। ବିଜେପି ରାଜ୍ୟସଭା ସାଂସଦ ହୋଇଥିବା ମାଣ୍ଡବିୟ ଗୁରୁବାର ସନ୍ଧ୍ୟାରେ ଦ୍ୱିତୀୟ ଥର କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି।
ଆଇଏଏସ୍ ଅଫିସର୍ରୁ ନେତା ପାଲଟି ଥିବା ଅର୍ଜୁନ ରାମ ମେଘଓ୍ଵାଲ୍ ମଧ୍ୟ ଆବେଗିକ କାରଣରୁ ସାଇକେଲ୍ ଚଢ଼ି ଅଫିସ ଯାଉଥିଲେ। ୨୦୧୬ରେ ମନ୍ତ୍ରୀ ହେବା ପରେ ସେ ସାଇକେଲ୍ ଚଢ଼ିବା ଛାଡ଼ି ଦେଇଥିଲେ।
ନିଜର ସମ୍ପର୍କୀୟ ଭାଇ ତଥା କଂଗ୍ରେସ ପ୍ରାର୍ଥୀ ବିକାନେର୍ର ମଦନଗୋପାଳ ମେଘଓ୍ଵାଲ୍ଙ୍କୁ ହରାଇଥିବା ମେଘଓ୍ଵାଲ୍ ମୋଦୀଙ୍କ ଦ୍ୱିତୀୟ ପାଳି ସରକାରେ ମନ୍ତ୍ରୀପଦ ପାଇଛନ୍ତି। ବିକାନେରର କିସ୍ମିଦେସାର୍ ଗାଁରେ ଗୋଟାଏ ତନ୍ତୀ ପରିବାରେ ଜାତ ମେଘଓ୍ଵାଲ୍ ୨୦୦୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/bicycle-men.jpg)