ସମାଜବାଦୀ ପାର୍ଟିକୁ ଝଟକା: ବିଜେପିରେ ଯୋଗ ଦେଲେ ଦୁଇ ବିଧାନ ପରିଷଦ ସଦସ୍ୟ ଓ ପୂର୍ବତନ ବିଧାୟକ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହାଭିତରେ ନେତାଙ୍କ ଦଳବଦଳ ଖେଳ ଚାଲିଛି। ଅନେକ ନେତା ବିଜେପି ଛାଡ଼ିଛନ୍ତି ଏବଂ କେତେକ ଏସପି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବିଏସପି ଏବଂ କଂଗ୍ରେସ ନେତାମାନେ ମଧ୍ୟ ଦଳବଦଳ କରିଛନ୍ତି।ଏବେ ବିଜେପି ବି ଏସପି ନେତାଙ୍କୁ ନିଜ ଦଳରେ ସାମିଲ କରାଇବାରେ ସଫଳ ହୋଇଥିବା କୁହାଯାଉଛି।

ଏଭଳି ପରିସ୍ଥିତିରେ ରବିବାର ଦିନ ସମାଜବାଦୀ ପାର୍ଟି (ଏସପି)ର ଦୁଇଜଣ ବିଧାନ ପରିଷଦ ସଦସ୍ୟ ଦଳ ଛାଡ଼ିବା ଏବଂ ବିଜେପିରେ ଯୋଗ ଦେବା ଏକ ବଡ଼ ଘଟଣା ବୋଲି କୁହାଯିବ। ଦୁଇଜଣ ବିଧାନ ପରିଷଦ ସଦସ୍ୟ ଘନଶ୍ୟାମ ଲୋଧୀ ଏବଂ ଶୈଳେନ୍ଦ୍ର ସିଂ ସମାଜବାଦୀ ପାର୍ଟିର ସଦସ୍ୟତା ତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି। ଏହା ବ୍ୟତୀତ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ଓମ ପ୍ରକାଶ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।

ସୂଚନାନୁସାରେ, ୟୁପି ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂ ଏହି ନେତାମାନଙ୍କୁ ଦଳର ସଦସ୍ୟତା ଦେଇଛନ୍ତି। ଏସପିର ବିଧାନ ପରିଷଦର ଦୁଇଜଣ ସଦସ୍ୟଙ୍କ ବ୍ୟତୀତ ପୂର୍ବତନ ଆଇଏଏସ୍ ରାମ ବାହାଦୂର ବିଏସପି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଏଥିସହ ପୂର୍ବତନ ବିଧାୟକ ଓମପ୍ରକାଶ ବର୍ମା ମଧ୍ୟ ବିଜେପିରେ ଯୋଗ ଦେଇଥିବା ଜଣାପଡ଼ିଛି। ଏହି ତିନି ବରିଷ୍ଠ ନେତାଙ୍କ ଦଳ ଛାଡ଼ିବା ସମାଜବାଦୀ ପାର୍ଟି ଲାଗି ବଡ଼ ଝଟକା ହେବ ବୋଲି କୁହାଯାଉଛି। ଏହାପରେ ଆହୁରି ଅନେକ ସମାଜବାଦୀ ପାର୍ଟି ନେତା ଦଳ ଛାଡ଼ି ବିଜେପିରେ ସାମିଲ ହେବେ ବୋଲି ଘନଶ୍ୟାମ ଲୋଧୀ ଏବଂ ଶୈଳେନ୍ଦ୍ର ସିଂ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର