ନୂଆଦିଲ୍ଲୀ: ୧୮୦୦ କୋଟି ଟଙ୍କାରୁ ଅଧିକ ଟିକସ ନୋଟିସ ପାଇବାର ଗୋଟିଏ ଦିନ ପରେ ଗତକାଲି ରାତିରେ ଆୟକର ବିଭାଗ ପକ୍ଷରୁ ଆଉ ଦୁଇଟି ନୋଟିସ୍ ମିଳିଛି ବୋଲି ଶନିବାର କଂଗ୍ରେସ କହିଛି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତରାତିରେ ଆମକୁ ଆଉ ଦୁଇଟି ନୋଟିସ୍ ପଠାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳଗୁଡ଼ିକୁ ଅଚଳ କରିବାକୁ ଚାହୁଛନ୍ତି ଏବଂ ଟିକସ ଆତଙ୍କବାଦ ଚଳାଇଛନ୍ତି ବୋଲି ରମେଶ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦାବି କରିଛନ୍ତି ଯେ ତାଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍ ମିଳିଛି। ସେମାନେ (ବିଜେପି) କଂଗ୍ରେସ ଓ ଇଣ୍ଡି-ମେଣ୍ଟକୁ ଡରୁଛନ୍ତି ବୋଲି ଶିବକୁମାର କହିଛନ୍ତି। ଶୁକ୍ରବାର କଂଗ୍ରେସ କହିଥିଲା ଯେ ଆୟକର ବିଭାଗ ପକ୍ଷରୁ ତାଙ୍କୁ ନୂଆ ନୋଟିସ୍ ମିଳିଛି, ଯେଉଁଥିରେ ପ୍ରାୟ ୧୮୨୩ କୋଟି ଟଙ୍କା ଦେବାକୁ କୁହାଯାଇଛି। ଟିକସ ପୁନର୍ମୂଲ୍ୟାୟନ ପ୍ରକ୍ରିୟା ବିରୋଧରେ ଦଳର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିବାର କିଛି ଘଣ୍ଟା ପରେ ଏହା ଘଟିଛି। ୨୦୧୭-୧୮ ଓ ୨୦୨୦-୨୧ ଆକଳନ ବର୍ଷ ପାଇଁ ଏହି ନୋଟିସ୍ ଜାରି କରାଯାଇଥିଲା ଏବଂ ଏଥିରେ ଜରିମାନା ଓ ସୁଧ ସାମିଲ ଥିଲା।

Advertisment

ଅନ୍ୟପକ୍ଷରେ ଆୟକର ବିଭାଗର ନୂଆ ନୋଟିସକୁ କଂଗ୍ରେସ ‘ଟିକସ ଆତଙ୍କବାଦ’ କହିଥିବାରୁ ଏହାକୁ ଏଜେନ୍ସି ଦୃଢ଼ ବିରୋଧ କରିଛି। ବର୍ଷ ବର୍ଷ ଧରି ଟିକସ ଫାଙ୍କି ପ୍ରକ୍ରିୟା ବିରୋଧରେ ଏହା ସ୍ବାଭାବିକ କାର୍ଯ୍ୟାନୁଷ୍ଠାନ ବୋଲି ଆୟକର ବିଭାଗ କହିଛି। ଅଧିକାରୀମାନେ କହିଛନ୍ତି ଯେ ପୂର୍ବରୁ ଚଢ଼ଉ ବେଳେ ବିପୁଳ ଚାନ୍ଦା ସଂକ୍ରାନ୍ତ ନଗଦ ରସିଦ ମିଳିଥିଲା ଏବଂ ସେହି ଆଧାରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି । ୨୦୧୩-୧୪ରୁ ୨୦୧୯ ଏପ୍ରିଲ ମଧ୍ୟରେ ନଗଦରେ ମୋଟ ୬୨୬ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ‌ହୋଇଥିବା ଅଧିକାରୀମାନେ କହିଛନ୍ତି। ଚଢ଼ାଉ ସମୟରେ ମିଳିଥିବା ଦସ୍ତାବିଜ, ହ୍ୱାଟ୍ସଆପ୍ ମେସେଜ୍ ଏବଂ ରେକର୍ଡ ହୋଇଥିବା ବୟାନ ସମେତ ଏହି ନଗଦ ରସିଦକୁ ଏକାଧିକ ଉପାୟରେ ପ୍ରମାଣିତ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।